୪ଏକର ମୂଲ୍ୟବାନ ସରକାରୀ ଜାଗା ଜବରଦଖଲମୁକ୍ତ

ଦଶପଲ୍ଲାର ପୂର୍ବତନ ବିଧାୟକ କରିଥିଲେ କବ୍‌ଜା

ଚନ୍ଦ୍ରଶେଖରପୁର: ୨୦୦୩ ମସିହାରୁ ଶାସକ ଦଳ ନେତା ତଥା ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଙ୍କ କବ୍‌ଜାରେ ଥିବା ଚନ୍ଦ୍ରଶେଖରପୁର ମୌଜା କନ୍ୟାଶ୍ରମ ନିକଟରେ ଥିବା ଏକର ୪.୨୨୬ ଡିସ୍‌ମିଲ୍‌ ମୂଲ୍ୟବାନ ସରକାରୀ ଜାଗାକୁ ଆଜି ଜବରଦଖଲ ମୁକ୍ତ କରାଯାଇଛି। ବିଡିଏ ଉଚ୍ଛେଦ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ବିଡ଼ିଏ ଓ ବିଏମ୍‌ସି ର ଏକ ମିଳିତ ଟିମ୍‌ ଜିଏ ପ୍ଲଟ୍‌ ଖାତା ନଂ ୬୧୯ ଅର୍ନ୍ତଗତ ପ୍ଲଟ୍‌ ନଂ- ୩ ଓ ୪ ରେ ବିଡ଼ିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ହାତକୁ ନିଆଯାଇଥିଲା। ବିଡିଏ ପକ୍ଷରୁ ଏହି ଜାଗାକୁ ଜବରଦଖଲ ମୁକ୍ତ କରାଯିବା ପ୍ରଶାସନର ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ଓପିପି ଆଇନ୍‌ ଅଧୀନରେ ୨୦୦୩ ମସିହାରେ ଆମ୍ବେଦକର ଏଜୁକେସନାଲ୍‌ କମ୍ପ୍ଲେକ୍ସ୍‍, ନୀଳାଦ୍ରିବିହାର ର ନିର୍ଦ୍ଦେଶକ କାଶୀନାଥ ମଲ୍ଳିକଙ୍କ ନାମରେ ଏକ ଅବରୋଧ ମାମଲା ରୁଜୁ କରାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗଏହାକୁ ଜବରଦଖଲ ମୁକ୍ତ କରିବାକୁ ଗତ ଅକ୍ଟୋବର ୩୧ ତାରିଖରେ ସିଇଏମ୍‌ସିକୁ ଏକ ପତ୍ର ଲେଖିଥିଲେ। ତଦନୁଯାୟୀ ଆଜି ଜିଏ ବିଭାଗର ଅନୁସଚିବ ଏଫ୍‌ ଏକ୍ସ୍‍ ଲୁଗୁନ୍‌, ଚନ୍ଦ୍ରଶେଖରପୁର ଥାନାର ପୁଲିସ ଫୋର୍ସ, ବିଡିଏ ଲିଆସନ୍‌ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଉପସ୍ଥିତ ରହି ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ କନ୍ୟାଶ୍ରମ ନିକଟସ୍ଥ ଏହି ସରକାରୀ ଜାଗା ନିକଟବର୍ତ୍ତୀ ପ୍ଲଟ୍‌ରେ ଶ୍ରୀ ମଲ୍ଲିକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିଥିଲେ। ପ୍ରାୟ ଦୁଇ ବର୍ଷ ହେବ ଏହା ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର