ଚେକିଂବେଳେ ୪ ଯୁବତୀଙ୍କ ହଙ୍ଗାମା : ବିନା ହେଲ୍‌ମେଟ୍‌ରେ ଆସି ଦିଦିଗିରି, ପୁଲିସକୁ ଦୁର୍ବ୍ୟବହାର କରି ଫସିଲେ

ଭୁବନେଶ୍ବର : ଶନିବାର ସନ୍ଧ୍ୟାରେ ଦୁଇଟି ସ୍କୁଟିରେ ଯାଉଥିଲେ ୪ ଯୁବତୀ। ନା ଚାଳକ ହେଲମେଟ୍‌ ପିନ୍ଧିଥିଲେ, ନା ସହଯାତ୍ରୀ। ସେମାନେ ଇନ୍ଦ୍ରଧନୁ ମାର୍କେଟ୍‌ ଆଡୁ ନୂଆପଲ୍ଲୀ ଥାନା ଛକ ଆଡ଼କୁ ଆସୁଥିବାବେଳେ ଥାନା ଛକରେ ଧରିଲା ପୁଲିସ। ହେଲେ ପୁଲିସ ଚାଲାଣ କାଟିଲା ବେଳକୁ ଯୁବତୀମାନେ ଦେଖାଇଲେ ଦିଦିଗିରି। ଏମିତି ହଙ୍ଗାମା ଆରମ୍ଭ କଲେ ଯେ ପୁଲିସ ବି ହତବମ୍ବ ହୋଇଗଲା। କିଏ ତୁମକୁ ପୁଲିସ କଲା? ଆମକୁ ଧରିବା ପରିଣାମ ଜାଣିଛ ତ? ପୁଲିସବାଲା ବିନା ହେଲ୍‌ମେଟ୍‌ରେ ବୁଲୁଛନ୍ତି, କେତେ ଧରୁଛ? ସେମାନେ ଏଭଳି କହି ହୋହଲ୍ଲା କଲାବେଳେ ଜଣେ ପୁଲି ଏ ସବୁକୁ ନିଜ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରୁଥିଲେ।

ଏହା ଦେଖି ଜଣେ ଯୁବତୀଙ୍କ ମୁଣ୍ଡ ଗରମ ହୋଇଗଲା। ସେ ଝପଟି ଆସି ପୁଲିସ କର୍ମଚାରୀଙ୍କଠାରୁ ମୋବାଇଲ ଫୋନ୍‌ ଛଡ଼ାଇବାକୁ ଉଦ୍ୟମ କଲେ। ପୁଲିସ ଜଣକ ନିଜ ଫୋନ୍‌ ବଞ୍ଚାଇବା ପାଇଁ ରାସ୍ତା କଡ଼କୁ ଦଉଡ଼ିଲେ। ନୂଆପଲ୍ଲୀ ଥାନାଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ଏଭଳି ହଙ୍ଗାମା ଓ ହୋହଲ୍ଲା ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିଲା। ଏହା ଦେଖିବାକୁ ଲୋକେ ପଥଚାରୀ ମଧ୍ୟ ଜମା ହୋଇଗଲେ। ଫଳରେ ସେଠାରେ ଟ୍ରାଫିକ୍ ଜାମ୍‌ ହୋଇ ଯାଇଥିଲା। ଶେଷରେ ପୁଲିସ ଚାରି ଯୁବତୀଙ୍କୁ ଧରି ନୂଆପଲ୍ଲୀ ଥାନା ଜିମା ଦେଇଥିଲା। ରାତି ପର୍ଯ୍ୟନ୍ତ ଯୁବତୀମାନଙ୍କୁ ପୁଲିସ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର