୨୫୮ ଅପହରଣ ମାମଲାରେ ୪୦ ଗିରଫ: ଆଗରେ ନୂଆପଲ୍ଲୀ, ପଛେ ପଛେ ମଞ୍ଚେଶ୍ବର

କିଡ୍‌ନାପିଂ ଓ ମ୍ୟାନ୍‌ମିସିଂ ସେଲ୍ ଦ୍ବାରା ୧୫୪ ନାବାଳକ ଓ ନାବାଳିକା ଠାବ, ସ୍କୁଲ୍ ଓ କଲେଜ ପିଲାଙ୍କୁ ସଚେତନ କରୁଛି ‘ପ୍ରାରମ୍ଭ’

ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର ସହରାଞ୍ଚଳରୁ ୨୫୮ଜଣଙ୍କୁ ଅପହରଣ କରାଯାଇଥିବା ନେଇ ୨୨ଟି ଥାନାରେ ମାମଲା ରୁଜୁ ହୋଇଛି। ଏଥିରୁ କିଛି ମାମଲାରେ ୪୦ ଅପହର୍ତ୍ତାମାନଙ୍କୁ ଗିରଫ କରାଯାଇଛି। ସେହିଭଳି ୧୫୪ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୯ଟି ମାମଲାର ତଦନ୍ତ ପ୍ରକ୍ରିୟା ‌ଶେଷ କରାଯାଇଛି। ଆଜି କମିସନରେଟ୍ ପୁଲିସ ଦେଇଥିବା ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟରେ ଏହି ତଥ୍ୟ ଉପସ୍ଥାପନ ହୋଇଛି। ମାତ୍ର ଅପହରଣ ହୋଇଥିବା ମୋଟ ୨୫୮ଜଣଙ୍କ ମଧ୍ୟରୁ ନାବାଳକ ବା ନାବାଳିକାଙ୍କ ସଂଖ୍ୟା କେତେ ଓ ଚଳିତ ବର୍ଷ କେତେ ଅପହରଣକାରୀଙ୍କୁ ଠାବ କରାଯାଇଛି, ସେ ସଂପର୍କିତ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ତେବେ ବହୁ ଅପହରଣ ମାମଲାରେ କି‌ଶୋର ବୟସର ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି।

ତଥ୍ୟ ଅନୁସାରେ, ନୂଆପଲ୍ଲୀ ଥାନାରେ ସର୍ବାଧିକ ୨୩ଟି ଅପହରଣ ମାମଲା ରୁଜୁ ହୋଇଛି। ହେଲେ ପୁଲିସ ମାତ୍ର ଜଣେ ଅପହର୍ତ୍ତାକୁ ଗିରଫ କରିଛି। ନୂଆପଲ୍ଲୀ ପଛକୁ ରହିଛି ମଞ୍ଚେଶ୍ବର। ପଛେ ପଛେ ରହିଛି କ୍ୟାପିଟାଲ ଓ ବଡ଼ଗଡ଼ ଥାନା। ମଞ୍ଚେଶ୍ବର ଥାନାରେ ୨୦ଟି ଅପରହରଣ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ ହୋଇଛି। ସେହିଭଳି କ୍ୟାପିଟାଲ ଓ ବଡ଼ଗଡ଼ ଥାନାରେ ୧୭ ଲେଖାଏ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୪ଜଣ ଅପହର୍ତ୍ତା ଗିରଫ ହୋଇଛନ୍ତି। ୧୫ ଲେଖାଏ ଅପହରଣ ମାମଲା ରୁଜୁ କରିଥିବା ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନା ମଧ୍ୟ ଚର୍ଚ୍ଚାରେ ରହିଛି। ଖାରବେଳନଗର ଓ ବାଲିଅନ୍ତା ଥାନାରେ ୧୩ଟି ଲେଖାଏ ମାମଲା ରୁଜୁ ହୋଇଛି।
ଚଳିତ ବର୍ଷ ଭୁବନେଶ୍ବର ଜିଲ୍ଲା ପୁଲିସ ସହ ମିଳିତ ଭାବେ କିଡ୍‌ନାପିଂ ଓ ମ୍ୟାନ୍ ମିସିଂ ସେଲ୍ ବକେୟା ଓ ଚଳିତ ବର୍ଷର ମାମଲାକୁ ମିଶାଇ ମୋଟ ୧୪୭ଟି ପଂଜୀକୃତ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଶେଷ କରିଛି। ସେଲ୍ କେବଳ ୧୫୪ଜଣ ନାବାଳକ ନାବାଳିକାମାନଙ୍କୁ ଠାବ କରିବା ସହିତ ୫୯ଟି ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିଛି। ଏହି ସେଲ୍ ୨୦୦୮ ମସିହାରୁ ଚଳିତ ବର୍ଷ ମେ ପର୍ଯ୍ୟନ୍ତ ୧୧୬୯ଜଣ ଅପହରଣ ହୋଇଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି। ତେବେ ଏହି ସବୁ ମାମଲା ମଧ୍ୟରୁ ଅନେକ ମାମଲାରେ ପାରିବାରିକ ବିବାଦ ଓ ପ୍ରେମଜନିତ କାରଣ ଥିବା ଜଣାପଡ଼ିଛି। ଏଭଳି ମାମଲାରେ ନାବାଳିକା ବା ନାବାଳକମାନେ ନିଜ ଇଚ୍ଛାରେ ଘରୁ ଲୁଚି ପଳାଉଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ତେଣୁ ଏ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ପ୍ରାରମ୍ଭ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଧାରରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ୍ ବିଭିନ୍ନ ସ୍କୁଲ୍ ଓ କଲେଜ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛି।

ଚର୍ଚ୍ଚିତ ଅପହରଣ ମାମଲା
 ଗତ ମେ ମାସରେ ଧଉଳି ଥାନାରେ ରୁଜୁ ହୋଇଥିଲା ଏକ ଚାଞ୍ଚଲ୍ୟକର ଅପହରଣ ମାମଲା। ଡେଲିଭରି ବୟ ଚିକୁନ୍‌କୁ ଅପହରଣ କରାଯାଇଛି ବୋଲି ୯ ତାରିଖରେ ତା ସ୍ତ୍ରୀ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅପହରଣକାରୀମାନେ ତାକୁ ଏକ ଅଟୋରେ ବାନ୍ଧି ନେଇଯାଇଥିଲେ ବୋଲି ଚିକୁନ୍‌ ତା ସ୍ତ୍ରୀଙ୍କୁ ଫୋନ୍‌ କରି କହିଥିଲା। ସ୍ତ୍ରୀକୁ ‘ଧନ’ ବୋଲି ସମ୍ବୋଧନ କରିଥିବା ରେକର୍ଡିଂଟି ସେତେ‌ବେଳେ ରାଜଧାନୀରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ମାତ୍ର ପରେ ଜଣାଗଲା ଯେ ନିଜେ ଚିକୁନ୍‌ ଥିଲା ନିଜ ଅପହରଣର ମାଷ୍ଟରମାଇଣ୍ଡ। ସ୍ତ୍ରୀର ବାନ୍ଧବୀକୁ ନେଇ ସେ ଘର ଛାଡ଼ିଥିଲା ଓ ମିଛରେ ଅପହରଣ ହୋଇଛି ବୋଲି କହିଥିଲା। ରେଳବାଇ ପୁଲିସ ତାକୁ ୧୧ ତାରିଖରେ ମଧ୍ୟପ୍ରଦେଶର କଟ୍‌ନି ଷ୍ଟେସନରୁ ଧରିବା ପରେ ମିଛ ଅପହରଣ ମାମଲାରୁ ପର୍ଦ୍ଦା ହଟିଥିଲା।

 ସେହିଭଳି ଚଳିତ ବର୍ଷ ଅକ୍ଟୋବର ୯ରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନେ ବାର୍‌କୁ ଡାକି ନେଇ ହତ୍ୟା କରିଥିଲେ। ବାର୍‌ରେ ବିଲ୍‌ ପଇଠକୁ ନେଇ ସାଙ୍ଗମାନଙ୍କ ସହ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସାଙ୍ଗମାନେ ତାଙ୍କୁ ହତ୍ୟା କରିବା ପରେ ରାଜଧାନୀ ଉପକଣ୍ଠ ପାତ୍ରପଡ଼ାସ୍ଥିତ ପୋଖରୀରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ।

 ସେପ୍ଟେମ୍ବର ୨ରେ ନୂଆପଲ୍ଲୀ ସିଆର୍‌ପି ଅଞ୍ଚଳରୁ ବିଳମ୍ବିତ ରାତିରେ ଜଣେ ବିଲ୍ଡର୍‌ଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ତାଙ୍କୁ ବ୍ରହ୍ମପୁରରେ ହାଣି ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସେଠାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଘଟଣା ପଛରେ ଅର୍ଥ କାରବାର ବିବାଦ ଥିଲା।

ସମ୍ବନ୍ଧିତ ଖବର