ଭୁବନେଶ୍ବର: ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ ଥାଇଲାଣ୍ଡର ୪୦ ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ଆସନ୍ତା କାଲି ବୁଦ୍ଧ ମନ୍ଦିରଠାରେ ବୌଦ୍ଧଭିକ୍ଷୁ ଭାବେ ଦୀକ୍ଷା ଗ୍ରହଣ କରିବେ। ମନ୍ଦିର‌ର ପ୍ରାର୍ଥନା ଗୃହରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଦୀକ୍ଷା ଗ୍ରହଣ ପର୍ବରେ ମହାରାଷ୍ଟ୍ରର ୩ ଯୁବତୀ ମଧ୍ୟ ଦୀକ୍ଷା ଗ୍ରହଣ କରିବେ। ଏଥିରେ ଥାଇଲାଣ୍ଡର ଥାଇ-ଇଣ୍ଡୋଚାଇନା ବନ୍ଧୁତ୍ବ ସମିତି ପକ୍ଷରୁ ଏକ ୧୦୦ ଜଣିଆ ସରକାରୀ ଉଚ୍ଚପଦାଧିକାରୀ ଓ ଭିକ୍ଷୁ ସଂଘ ଯୋଗ ଦେବେ। ଏହି ଅବସରରେ ମହାବୋଧି ସୋସାଇଟିର ସାଧାରଣ ସଂପାଦକ ସିଓଲିଥେରୋ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ ବୋଲି ମହାବୋଧି ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରଥମ ଥର ପାଇଁ ଇଣ୍ଡୋ-ଥାଇ ବନ୍ଧୁତ୍ବ ସମିତି, ଓଡ଼ିଶା ମହାବୋଧି ସୋସାଇଟିକୁ ଏହି ସୁଯୋଗ ଦେଇଥିବାରୁ ସୋସାଇଟିର ସଭାପତି ବିମଳେନ୍ଦୁ ମହାନ୍ତି କୃତଜ୍ଞତା ଜଣାଇଛନ୍ତି। ଏହାସହ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ଣରେ ଏକ ଶାନ୍ତି ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି ଧଉଳି ଶାନ୍ତସ୍ତୂପ ପର୍ଯ୍ୟନ୍ତ ଯିବ। ଭଗବାନ ବୁଦ୍ଧଙ୍କ ପଞ୍ଚଶୀଳରେ ବିଶ୍ବାସ କରୁଥିବା ଯେକୌଣସି ବ୍ୟକ୍ତି ଏହି ଶୋଭାଯାତ୍ରାରେ ଭାଗ ନେଇପାରିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ସୌ‌ରେନ୍ଦ୍ର କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।