ଭୁବନେଶ୍ୱର : ଯେଉଁମାନଙ୍କର କୌଣସି ଲକ୍ଷଣ ନଥାଇ କରୋନା ଆକ୍ରାନ୍ତ ହେଉଛନ୍ତି, ସେମାନେ ଘରେ ଆଇସୋଲେସନ୍ରେ ରହିପାରିବେ। ଏନେଇ ବିଏମ୍ସି ଗତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏବେ ପ୍ରାୟ ୬୦ ଜଣ ଆକ୍ରାନ୍ତ ଘରେ ଆଇସୋଲୋସନ୍ରେ ଅଛନ୍ତି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ବସ୍ତିରେ ରହୁ ନଥିବା ଯେଉଁ ଆକ୍ରାନ୍ତମାନଙ୍କର ପୂର୍ବରୁ କୌଣସି ରୋଗ ନାହିଁ କିମ୍ବା ଏବେ କରୋନା ଲକ୍ଷଣ ନାହିଁ ଏବଂ ସୁସ୍ଥ ଅଛନ୍ତି ସେମାନେ ଘରେ ଆଇସୋଲେସନ୍ରେ ରହି ଚିକିତ୍ସିତ ହୋଇପାରିବେ। ଏଥିରେ ଭୁବନେଶ୍ବରର ତିନିଟି ଜୋନ୍ରେ ପ୍ରାୟ ୬୦ଜଣ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଘର ଆଗରେ ସ୍ବତନ୍ତ୍ର ଷ୍ଟିକର୍ ଲଗାଯାଉଛି। ନୀଳ ଓ ଲାଲ୍ ରଙ୍ଗର ଏହି ଷ୍ଟିକରରେ ଆକ୍ରାନ୍ତଙ୍କ ନାମ ସହ ଘରେ ତାଙ୍କର କିଏ ଚିକିତ୍ସା କରୁଛନ୍ତି, କେତେ ଲୋକ ଘରେ ସଙ୍ଗରୋଧ ଅଛନ୍ତି ତା’ର ସବିଶେଷ ତଥ୍ୟ ରହୁଛି।
ଯେଉଁ ଘରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ସେହି ଘରକୁ କେହି ବାହାର ଲୋକ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି।
ସେହିପରି ଘରେ ଚିକିତ୍ସିତ ହେଉଥିବା ଲୋକ ୧୦ ଦିନ ଘରେ ଆଇସୋଲେସନ୍ରେ ରହି ଚିକିତ୍ସିତ ହେବେ। ସେମାନେ କ’ଣ ଖାଇବେ, କେଉଁ ଔଷଧ କିପରି ଖାଇବେ, ତା’ର ତାଲିକା ଦିଆଯାଉଛି। ଏହାସହ ୧୯୨୯ ନମ୍ବରରୁ ତାଙ୍କୁ ପ୍ରତିଦିନ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝାଯାଉଛି। ନିୟମିତ ଡାକ୍ତରୀ ପରାମର୍ଶ ଦିଆଯାଉଛି। ଯଦି କୌଣସି ସମସ୍ୟା ଦେଖାଯାଏ ବା ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୁଏ, ତୁରନ୍ତ ୧୯୨୯ ନମ୍ବର ବା ୧୦୪କୁ ଫୋନ୍ କରିବାକୁ କୁହାଯାଇଛି। ଏହାଦ୍ବାରା କରୋନା ଆକ୍ରାନ୍ତ ଘରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇପାରିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।