ବାଲିଅନ୍ତା : ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗିଛି। ଗତ ୩ ଦିନ ଭିତରେ ଏଠାରୁ ୪୦ ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ଗର୍ଭବତୀଙ୍କ ସମେତ ୨୩ଜଣ ମହିଳା ଅଛନ୍ତି। ପ୍ରତାପଶାସନ ପଞ୍ଚାୟତରେ ସର୍ବାଧିକ ୧୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ୬୫ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବା ନେଇ ସୂଚନା ମିଳିଛି।
ସୂଚନାନୁସାରେ, ୨ମୃତକଙ୍କ ପରିବାରରୁ ଗତକାଲି ୮ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏବେ ମୃତକଙ୍କ ସଂପର୍କୀୟମାନେ ଗ୍ରାମର କିଛି ଅସାମାଜିକ ଯୁବକମାନଙ୍କ ଗାଳିମନ୍ଦର ଶିକାର ହେଉଛନ୍ତି। ସେମାନେ କରୋନା ସୁପରସ୍ପ୍ରେଡର୍ ବୋଲି ଲୋକେ କହୁଛନ୍ତି। ତେଣୁ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ପରିବାରଲୋକ ଏନେଇ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରି ପୁଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି। ଏହି ୩ ଦିନ ମଧ୍ୟରେ ନୂଆପାଟଣା, ରଥିଜେମା ଓ ରଙ୍ଗଣିସାହି ଅଞ୍ଚଳରୁ ଗୋଟିଏ ଲେଖାଏଁ ପରିବାରରୁ ଅଧିକାଂଶ ଲୋକ ସ୍ଥାନୀୟ ସଂକ୍ରମିତ ବୋଲି କୁହାଯାଉଛି। ତେବେ ଆଜି ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦିଙ୍କ ତତ୍ତ୍ବାବଧାନରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲୋକଙ୍କୁ ଥଣ୍ଡା, ଜ୍ବର ଓ କାଶ ପାଇଁ ମାଗଣାରେ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରାଯାଇଥିଲା।