ଭୁବନେଶ୍ୱର : ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏବେ ଆଶ୍ରୟସ୍ଥଳୀରେ କରୋନା ପଶିଛି। ଦୁଇ ଦିନ ତଳେ ବିଏମ୍ସି ପକ୍ଷରୁ ୮ଟି ଯାକ ଆଶ୍ରୟସ୍ଥଳୀରେ ଅନ୍ତେବାସୀମାନଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ପ୍ରାୟ ୧୨୩ ଜଣଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ଏବେ ୪୦ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି। ଅସହାୟ ଲୋକମାନେ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କ ଚିକିତ୍ସା ଏବେ ବିଏମ୍ସି ପାଇଁ ଚାଲେଞ୍ଜ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ୩୮ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ ସଂଧ୍ୟାରେ ଆଉ ଦୁଇଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ଆକ୍ରାନ୍ତ ଗଙ୍ଗନଗର, ମାଳିସାହି, ଅଶୋକ ନଗର, ଭୀମପୁରସ୍ଥିତ ଆଶ୍ରୟସ୍ଥଳୀରୁ ଚିହ୍ନଟ ହୋଇଛନ୍ତି। ଗଙ୍ଗନଗରସ୍ଥିତ ଆଶ୍ରୟସ୍ଥଳୀରୁ କେବଳ ୩୨ଜଣ ଚିହ୍ନଟ ହୋଇଥିବାରୁ ଏଠାରେ ସମସ୍ତ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି। ବାକି ଅନ୍ତେବାସୀଙ୍କୁ ଅଶୋକନଗରସ୍ଥିତ ଆଶ୍ରୟସ୍ଥଳୀକୁ ନିଆଯାଇଛି। ମୋଟ୍ ୪୦ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ କର୍ମଚାରୀ ଅଛନ୍ତି। ବିଏମ୍ସିର ସୂଚନା ଅନୁଯାୟୀ, ଗଙ୍ଗନଗର ଆଶ୍ରୟସ୍ଥଳୀକୁ କୋଭିଡ୍ କେୟାର ହୋମ୍ ଭଳି ପ୍ରସ୍ତୁତ କରାଯାଇଛି। ଏହି ଆକ୍ରାନ୍ତମାନେ ଅସହାୟ ହୋଇଥିବାରୁ ସେମାନଙ୍କୁ କୌଣସି କୋଭିଡ୍ ହସ୍ପିଟାଲ କି କୋଭିଡ୍ କେୟାର ହୋମ୍କୁ ସ୍ଥାନାନ୍ତର କରଯାଇନି। ଏଠାରେ ସମସ୍ତ ପ୍ରକାରର ସୁବିୁଧା ସୁଯୋଗ ଯୋଗାଇ ଦିଆଯାଇଛି। ନିୟମିତ ଡାକ୍ତରୀ ପରାମର୍ଶ କରାଯିବ। ଯଦି କେହି ଗୁରୁତର ହେବେ, ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।
/sambad/media/post_attachments/wp-content/uploads/2020/07/coronavirus-altas-temperaturas.jpg)
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଶ୍ରୟସ୍ଥଳୀର ଜଣେ ରୋଷେୟାଙ୍କଠାରୁ ଅନ୍ତେବାସୀଙ୍କୁ କରୋନା ହୋଇଥିବା ଆଶଙ୍କା କରାଯାଉଛି। କାରଣ ୫/୬ଦିନ ତଳେ ଗଙ୍ଗନଗର ଆଶ୍ରୟସ୍ଥଳୀର ରୋଷେୟାଙ୍କ ଦେହ ଖରାପ ହେବାରୁ ସେ କ୍ୟାପିଟାଲ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିଥିଲେ। ଏହା ପରେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିବାରୁ ସେ ସେହି ଦିନରୁ ଆଶ୍ରୟସ୍ଥଳୀକୁ ଆସିନଥିଲେ। ସମସ୍ତ ଅନ୍ତେବାସୀଙ୍କର କରୋନା ପରୀକ୍ଷା ହୋଇଥିଲା। ଏବେ ୪୦ ଜଣଙ୍କର ପଜିଟିଭ୍ ଆସିଛି। ରୋଷେୟା ଓ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଅସହାୟ ବ୍ୟକ୍ତିମାନେ କରୋନା ଆକ୍ରାନ୍ତ ହୋଇଥିବା କୁହାଯାଉଛି। ସେହିପରି ଅନ୍ତେବାସୀମାନେ ବାହାରକୁ ବିଭିନ୍ନ କାମରେ ଯାଉଥିବାରୁ ସେମାନେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି। କେବଳ ଏତିକି ନୁହେଁ, କିଛି ମାନସିକ ବିକାରଗ୍ରସ୍ତ ଲୋକ ବି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ କିପରି ଚିକିତ୍ସିତ ହେବେ ତାହା ଏବେ ବିଏମ୍ସି ପାଇଁ ଚାଲେଞ୍ଜ ହୋଇଛି। ଏଠାରେ ଆଜି ସକାଳେ ଚିହ୍ନଟ ହୋଇଥିବା ୩୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ୬୦ବର୍ଷରୁ ଅଧିକ ବୟସ୍କ ଅଛନ୍ତି। ଏଥିରେ ୭୫ବର୍ଷରୁ ଉର୍ଦ୍ଧ୍ବ ୩ଜଣ ବୃଦ୍ଧା, ୭୦ବର୍ଷରୁ ଉର୍ଦ୍ଧ୍ବ ୬ଜଣ ବୃଦ୍ଧ ଅଛନ୍ତି।