ନିଦାବିଷ୍ଣୁ ସାଜିଛି ବିଏମ୍‌ସି: ପକ୍କା ରାସ୍ତା ଓ ପିଇବା ପାଣିରୁ ବଞ୍ଚିତ ୪୦ ପରିବାର

ଭୁବନେଶ୍ବର: ସହରର ପ୍ରମୁଖ ଅଞ୍ଚଳରେ ଘର କରିଛନ୍ତି। ମାତ୍ର ପକ୍କା ରାସ୍ତା ନାହିଁ। ୩୦ ବର୍ଷ ପରେ ବି ପାଇପ୍‌ ଜଳଯୋଗାଣରୁ ବଞ୍ଚିତ ହୋଇ ରହିଛନ୍ତି। କେବଳ ବିଦ୍ୟୁତ୍ ସେବାକୁ ବାଦ୍‌ ଦେଲେ ଏଠିକାର ବାସିନ୍ଦାମାନେ ଅନ୍ୟ କୌଣସି ସରକାରୀ ସୁବିଧା ପାଇନାହାନ୍ତି। ଖରା ଦିନରେ ଜଳାଭାବ କଷ୍ଟ ଭୋଗୁଛନ୍ତି ଓ ପକ୍କା ରାସ୍ତା ଅଭାବରୁ ବର୍ଷା ଦିନେ ସେମାନେ ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ରହୁଛନ୍ତି। ଏହା ହେଉଛି ବିଏମ୍‌ସି ୧୧ ନମ୍ବର ୱାର୍ଡ ଭିଏସ୍ଏସ୍ ନଗର ରେଳ ଲାଇନ୍‌ କଡ଼ରେ ରହୁଥିବା ୪୦ ପରିବାରର ଦୁର୍ଦ୍ଦଶାର କାହାଣୀ। ସେଇଠି ଟିକିଏ ଦୂରରେ ହାଟ ଅଞ୍ଚଳରେ ଚକାଚକ୍‌ ରାସ୍ତା ଥିଲେ ମଧ୍ୟ ଏହି ରେଳ ଲାଇନ୍‌ କଡ଼ ବାସିନ୍ଦାମାନେ ‘ଦୀପ ତଳ ଅନ୍ଧାର’ ଭଳି ଅବସ୍ଥାରେ ରହି ଆସୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୩୦ ବର୍ଷ ହେଲା ଏଠାରେ ପ୍ରାୟ ୪୦ ପରିବାର ରହୁଛନ୍ତି। ସେମାନେ ବିଏମ୍‌ସିକୁ ହାଡ଼େ ହାଡ଼େ ହୋଲ୍‌ଡିଂ ଟିକସ ଗଣୁଛନ୍ତି। କିନ୍ତୁ ଏତେ ବର୍ଷ ବିତିବା ପରେ ବି ବିଏମ୍‌ସି ସେମାନଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ କରିପାରିଲାନାହିଁ। ବଡ଼ ସମସ୍ୟା ହେଉଛି ପିଇବା ପାଣି। ନିଜ ନିଜ ସାଧାରଣ କୂଅ ବା ବୋରୱେଲ୍‌ ଉପରେ ଏଠିକା ଲୋକେ ନିର୍ଭର କରି ଆସୁଛନ୍ତି। ଖରା ଦିନରେ ସାଧାରଣ କୂଅ ଶୁଖି ଯାଉଥିବାରୁ କିଛି ଲୋକ ପାଣି କିଣି କାମ ଚଳାଇବା କଷ୍ଟ ଭୋଗିଥିବା ମଧ୍ୟ କହିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାକୁ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ। ସମ୍ପ୍ରତି ଗାଁ ଗଣ୍ଡାରେ ପାଇପ୍‌ ଜଳ ପହଞ୍ଚି ସାରିଥିବା ବେଳେ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥାଇ ବି ଏହି ଲୋକମାନେ ପାଇପ୍‌ ଜଳ ପାଇପାରିଲେ ନାହିଁ। ପରିତାପର କଥା ଏଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଜନସ୍ବାସ୍ଥ୍ୟ ବିଭାଗର ପାଣି ଟାଙ୍କି ରହିଛି। ମାତ୍ର ଏହି କଲୋନିକୁ ପାଇପ୍‌ ବିଛା ଯାଇ ପାରିନାହିଁ। ଖରା ଦିନ‌ରେ ଜଳକଷ୍ଟ ଯେତିକି ଯନ୍ତ୍ରଣାଦାୟକ, ବର୍ଷା ଦିନେ କାଦୁଅ ପଚପଚ ରାସ୍ତା ସେତିକି ଦୁଃଖଦାୟକ। ମୋରମ୍ କଚ୍ଚା ରାସ୍ତା ପାଇଁ ଘରୁ ଗୋଡ଼ କାଢ଼ିବା ସମ୍ଭବ ହେଉନାହିଁ। ଟିକିଏ ଜୋର୍ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି ଓ ଚଳପ୍ରଚଳ କଷ୍ଟକର ହୋଇପଡ଼ୁଛି। ବିଶେଷକରି ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି।

ବର୍ଷାଦିନେ ରାତିରେ କାହାକୁ ହସ୍ପିଟାଲ ଯିବାକୁ ପଡ଼ିଲେ, ଏଠାକୁ ଆମ୍ବୁଲାନ୍‌ସ ଆସିବାକୁ ମନା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ଛୋଟ ପିଲାଙ୍କୁ ସ୍କୁଲ୍ ବସ୍ ନେବାକୁ ଆସୁ ନଥିବାରୁ ଲୋକେ ହାଟ ପର୍ଯ୍ୟନ୍ତ ସେମାନଙ୍କୁ ଧରି ଚାଲି ଚାଲି ଯିବାକୁ ପଡ଼ୁଛି।
ଏ ନେଇ କଲୋନିର ସଭାପତି କାଳନ୍ଦୀ ଚରଣ ସ୍ବାଇଁ ବିଏମ୍‌ସିରେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ରେଳବାଇ ଜାଗା ଚିହ୍ନଟ ପ୍ରକ୍ରିୟା ବାହାନା କରି ରାସ୍ତା ନିର୍ମାଣକୁ ଘୁଞ୍ଚାଇ ଦିଆଯାଉଛି ବୋଲି ସେ କହିଛନ୍ତି। ସେହିଭଳି ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ରାସ୍ତା ଚିହ୍ନଟ କାର୍ଯ୍ୟ ସରିଛି ବୋଲି ଜଣାପଡ଼ିଛି। ରେଳବାଇ ପକ୍ଷରୁ ଲୁହା ଖମ୍ବ ପୋତା ସରିଥିବାରୁ ରାସ୍ତା ଚିହ୍ନଟ ସରିଛି ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି। ତଥାପି ବିଏମ୍‌ସି ରେଳବାଇ ଉପରକୁ ଦୋଷ ଠେଲି ଏହି କଲୋନିବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛି। ସ୍ଥାନୀୟ ଅଧିବାସୀ ଜନ୍ମେଞ୍ଜୟ ରାଉତଙ୍କ କହିବାନୁସାରେ, ଏ ସମ୍ପର୍କରେ ସେମାନେ ସ୍ଥାନୀୟ କର୍ପୋରେଟର, ବିଧାୟକ, ୱାର୍ଡ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ମାତ୍ର ସବୁଠାରୁ କେବଳ ଫମ୍ପା ପ୍ରତିଶ୍ରୁତି ମିଳିଛି। ବିଏମ୍‌ସି ପକ୍ଷରୁ ଆନ୍ତରିକତା ନଥିବାରୁ ଏଠାକୁ ରାସ୍ତା ଓ ପାନୀୟ ଜଳଯୋଗାଣ ହୋଇପାରୁନାହିଁ। ସୂଚନାଯୋଗ୍ୟ, ଏହି ରାସ୍ତାକୁ ପକ୍କା କଲେ, ସ୍ଥାନୀୟ ଅଞ୍ଚଳରୁ ମଞ୍ଚେଶ୍ବର ରେଳ ଷ୍ଟେସନକୁ ଯାତ୍ରୀଙ୍କ ଚଳାଚଳ ଅଧିକ ବ୍ୟବସ୍ଥିତ ହୋଇପାରିବ। ଏଣିକି ଏହି ସମସ୍ୟାର ସ୍ଥା‌ୟୀ ସମାଧାନ କରା ନଗଲେ ଆଗାମୀ ଦିନରେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଲୋନିବାସୀ କହିଛନ୍ତି।

ସମ୍ବନ୍ଧିତ ଖବର