ନୀଳାଦ୍ରିବିହାର ପାର୍କରେ ଜମୁଛି ଅସାମାଜିକଙ୍କ ଆଡ଼ା,ପାଣିରେ ପଡ଼ିଲା ୪୦ ଲକ୍ଷ

ଦେଢ଼ ବର୍ଷରେ ନଷ୍ଟ ହୋଇଗଲା ସୌନ୍ଦର୍ଯ୍ୟୀକରଣ, ଅଣନିଶ୍ବାସୀ ଅଞ୍ଚଳବାସୀ, ୫୦ରୁ ଅଧିକ ଲାଇଟ୍‌ ଜଳୁନି

ଚନ୍ଦ୍ରଶେଖରପୁର : ଦେଢ଼ ବର୍ଷ ତଳେ ଅମୃତ ଯୋଜନାରେ ନୀଳାଦ୍ରିବିହାରସ୍ଥିତ ହାଉସିଂବୋର୍ଡ ସେକ୍ଟର-୩ରେ ନିର୍ମାଣ ହୋଇଥିବା ପାର୍କ ଏବେ ସୌନ୍ଦର୍ଯ୍ୟ ହରାଇଲାଣି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପାଖାପାଖି ୪୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଏହି ପାର୍କ ଏବେ ପିଲାଙ୍କ ଖେଳ ପଡ଼ିଆ ପାଲଟିଛି। ବୁଲା ଗୋରୁଗାଈଙ୍କ ଚରାଭୂଇଁ ଓ ପୋଷା କୁକୁରଙ୍କ ଶୌଚାଳୟ ପାଲଟିଛି। ଛୋଟ ପିଲା ଖେଳିବା ପାଇଁ ଲୁହାରେ ତିଆରି ହୋଇଥିବା ଯନ୍ତ୍ରପାତି କଳଙ୍କି ଲାଗିଯାଇଥିବାରୁ କେତେବେଳେ ଯେ ଅଘଟଣ ଘଟିବ ତାହା କହିବା ମୁସ୍କିଲ୍‌ ହୋଇପଡ଼ିଛି। ଆଉ ରାତି କଥା ନ କହିବା ଭଲ। ସନ୍ଧ୍ୟା ହେବା କ୍ଷଣି ପାର୍କ ଭିତରେ ଜମୁଛି ମଦୁଆଙ୍କ ଆଡ଼ା। ଏହା ଭିତରେ ଲାଗିଥିବା ୫୦ରୁ ଅଧିକ ଲାଇଟ୍‌ ଖରାପ ହୋଇଯାଇଥିବାରୁ ରାତିରେ କିଏ କ’ଣ କରୁଛି ତାହା ଜଣାପଡ଼ୁ ନାହିଁ। ପାର୍କ ଭିତରେ ଅଳିଆ ଆବର୍ଜନା ଜମା ହୋଇଥିବା ବେଳେ ଅସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହେଲେଣି ଅଞ୍ଚଳବାସୀ। ପିସିଆର ଭ୍ୟାନ୍‌ ଏହି ଅଞ୍ଚଳକୁ ଆସୁ ନ ଥିବାରୁ ଅସାମାଜିକଙ୍କ ଉତ୍ପାତ ବଢ଼ିଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ବିଏମ୍‌ସିର ୧୪ ନମ୍ବର ୱାର୍ଡର ନୀଳାଦ୍ରିବିହାର ହାଉସିଂବୋର୍ଡ ସେକ୍ଟର-୩ରେ ଅମୃତ ଯୋଜନାରେ ୨୦୧୭ ଅଗଷ୍ଟ ୨୯ରେ ଏହି ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପାର୍କ ନିର୍ମାଣ ପାଇଁ ୩୯ ଲକ୍ଷ ୫୮ ହଜାର ୩୦୦ ଟଙ୍କା ଅଟକଳ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ କାମ ଶେଷ ହେବା ପରେ ୨୦୧୯ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ପାଳନ ଅବସରରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ପାର୍କର ଉଦଘାଟନ କରାଯାଇଥିଲା। ନୂଆ ନୂଆ କିଛି ଦିନ ପାଇଁ ସବୁ କିଛି ଠିକ୍‌ ଠାକ୍‌ ଚାଲିଲା। ଛୋଟ ପିଲା, ବରିଷ୍ଠ ନାଗରିକ, ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ପାର୍କ ଭିତରେ ଚଲାବୁଲା କଲେ। ତେବେ ବର୍ତ୍ତମାନ ପାର୍କ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନା ଅଛି ସୌନ୍ଦର୍ଯ୍ୟ, ନା ଜଳୁଛି ଲାଇଟ୍‌। ପାର୍କ ଭିତରେ ଯୁଆଡ଼େ ଚାହିଁଲେ କେବଳ ମଦ ବୋତଲ, ପାଣି ବୋତଲ, ପ୍ଲାଷ୍ଟିକ ଗ୍ଲାସ୍, ଗୋବର, ଗଛ ଡାଳପତ୍ର, ଅଳିଆ ଆବର୍ଜନା ଆଦି ଦେଖିବାକୁ ମିଳୁଛି। ସନ୍ଧ୍ୟା ସମୟରେ ଅସା‌ମାଜିକଙ୍କ ଏଭଳି ଆଡ୍ଡା ଜମୁଛି ଯେ ଭୟରେ ବରିଷ୍ଠ ନାଗରିକ ଆଉ ଏଠାକୁ ଆସୁନାହାନ୍ତି।

ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କ କହିବାନୁଯାୟୀ ଘର ସାମ୍ନାରେ ପାର୍କ ହୋଇଥିବାରୁ ପ୍ରଥମେ ବହୁତ ଖୁସି ଲାଗୁଥିଲା। ପାର୍କରେ ବୁଲାବୁଲି କରିବା ସହ ସକାଳେ ଓ ସନ୍ଧ୍ୟାରେ ଲୋକେ ବ୍ୟାୟମ, ଯୋଗ ଆଦି କରିବାକୁ ଆସୁଥିଲେ। ପାର୍କର ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ଲାଗୁଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ମରିଗଲା। ପାର୍କ ପାଚେରିରେ ଅଙ୍କା ଯାଇଥିବା ଚିତ୍ର ବି ନଷ୍ଟ ହୋଇଗଲା। କେତେକ ସ୍ଥାନରେ ପା‌ଚେରି ଭାଙ୍ଗିଗଲାଣି। ପ୍ରଶାସନ ଏଥିପ୍ରତି ଟିକିଏ ଦୃଷ୍ଟି ଦେଉ। ପାର୍କର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟୀକରଣ କରାଗଲେ ଅଞ୍ଚଳବାସୀ ଉପକୃତ ହେବେ।
ଗୃହିଣୀ ବେବିନା ନାୟକ କହିଛନ୍ତି ଯେ ଏବେ ପାର୍କ ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଯୁବକମାନେ ଆସି ସନ୍ଧ୍ୟା ହେଲେ ପଶୁଛନ୍ତି। ମଦ୍ୟପାନ କରି ହୋ ହାଲ୍ଲା କରିବା ସହ ଅଶ୍ଳୀଳ ଭାଷାରେ ପାଟିତୁଣ୍ଡ କରୁଛନ୍ତି। ଭୟ ଲାଗୁଛି। ଏନେଇ ସ୍ଥାନୀୟ କିଛି ଦିନ ପୂର୍ବରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ପିସିଆର ଭ୍ୟାନ୍‌ ଆସିବାରୁ ଅସାମାଜିକମାନେ ଜାଗା ଛାଡ଼ି ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର