ଖଣ୍ଡଗିରି: ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ। ପ୍ରତିବର୍ଷ ପରି ଏଥର ବି ଖଣ୍ଡଗିରି ମେଳା ପୂର୍ବରୁ ପିଲା ଛୁଆ ସଂସାର ନେଇ ମହାରାଷ୍ଟ୍ର ନାଗପୁରରୁ ଛୁଟି ଆସିଥିଲେ ଖଣ୍ଡଗିରି। ରାଜଧାନୀରେ ବିଭିନ୍ନ ମେଳଣ ସ୍ଥ‌ଳରେ ବେଲୁନ ଓ ଖେଳଣା ବିକି ଭଲ ରୋଜଗାର ବି କରିଥିଲେ। ଆଉ ଦିନ କେଇଟା ପରେ ନିଜ ରାଜ୍ୟକୁ ଲେଉଟିଥାନ୍ତେ। ମାତ୍ର ଫେରିବା ବାଟରେ କଣ୍ଟା ସାଜିଲା ମହାମାରୀ କରୋନା। ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା। ସବୁ‌ ମେଳା ମହୋତ୍ସବ ପର୍ବ ପର୍ବାଣି ପାଳନ ବନ୍ଦ ହୋଇଗଲା। ବେପାର ବି ବନ୍ଦ ହେଇଗଲା। ନା ଘରକୁ ଫେରି ପାରି‌ଲେ, ନା‌ ରୋଜଗାର କରିପାରିଲେ। ଶେଷକୁ ଭିକ ମାଗିବା ସ୍ଥିତିରେ ପଡ଼ି ରହିଛନ୍ତି ଖଣ୍ଡଗିରି ବସ୍ ଟର୍ମିନାଲ୍‌ର ମେଲା ଛାତ ତଳେ। ବସ୍ ଭଡ଼ା ବାବଦରେ ୨୦ ହଜାର ଟଙ୍କା ଯୋଗାଡ଼ ହୋଇପାରି‌ଲେ ସେମାନେ ଭିଟାମାଟିକୁ ଫେରିପାରନ୍ତେ। ମାତ୍ର ଯୋଗାଡ଼ ହୋଇପାରୁନି। ତେଣୁ ୨୦ ହଜାର ଟଙ୍କା ପାଇଁ ସେମାନେ ଖଣ୍ଡଗିରିରରେ ବନ୍ଧା ପଡ଼ି ଯାଇଛନ୍ତି।

Advertisment

ଏହି ଦଳର ମୁଖିଆ ବିରୁନ୍‌ ଶାହ ଭୋସ୍‌ଲେ କହିଛନ୍ତି ଯେ ସେମାନେ ପ୍ରତିବର୍ଷ ‌ହାୱଡ଼ାରୁ ଖେଳଣା ଓ ବେଲୁନ୍‌ ନେଇ ଖଣ୍ଡଗିରି ଆସନ୍ତି ଓ ମେଳାରେ ବିକ୍ରି କରନ୍ତି। ସେଠାରୁ ପୁଣି ବୁଲି ବୁଲି ଅନ୍ୟ ମେଳାରେ ବେପାର କରନ୍ତି। ଚଳିତ ବର୍ଷ ସେମାନେ ଖଣ୍ଡଗିରି ମେଳାକୁ ଆସିଥିଲେ ଓ ବେପାର କରି ଡେରା ପକାଇଥିଲେ। କିନ୍ତୁ କରୋନା କଟକଣା ପରେ ଏଠାରେ ଫସି ରହିଛନ୍ତି। ଭୁବନେଶ୍ବର ମହାନଗର ନିଗମ ପ୍ରଶାସନ ଖାଇବାକୁ ଦେଉଛି ବୋଲି ସେମାନେ ବଞ୍ଚି ଯାଇଛନ୍ତି ବୋଲି ସେମାନେ କହିଛନ୍ତି। ମାସେ ହେଲା ସେମାନେ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ୪୫ ହଜାର ଟଙ୍କା ହେଲେ ପୁଲିସ ବସ୍ ଯୋଗାଡ଼ କରି ମହାରାଷ୍ଟ୍ର ପଠାଇବ ବୋଲି କହୁଛି। କିନ୍ତୁ ସେମାନେ ୨୫ ହଜାର ଟଙ୍କା ଜମା କରିସାରିଲେଣି। ଆଉ ୨୦ ହଜାର ଟଙ୍କା ଯୋଗାଡ଼ ହୋଇପାରୁନାହିଁ। ଶ୍ରୀ ଭୋସ୍‌ଲେଙ୍କ କହିବା କଥା ଆଉ କେତେ ଦିନ ମାଗିଯାଚି ଚଳିବୁ! ଲକ୍‌ଡାଉନ୍‌ ଯୋଗୁଁ ଲୋକେ ଘରୁ ବାହାରୁନଥିବାରୁ ଭିକ ବି ମିଳୁନାହିଁ। ଯଦିଓ ପ୍ରଶାସନ ଦୁଇବେ‌ଳା ଖାଇବାକୁ ଦେଇ ଦେଉଛି, ନିଜ ଗାଁ’କୁ ଫେରିବାକୁ ସେମାନେ ବ୍ୟାକୁଳ ହୋଇପଡ଼ିଲେଣି। ଗାଁରେ ଜମିବାଡ଼ି କାମ ଆରମ୍ଭ ହେଲାଣି। ପିଲାଙ୍କ ସ୍କୁଲ ଯିବା ସମୟ ମଧ୍ୟ ହେଲାଣି। ତେଣୁ ସେମାନଙ୍କୁ କେହି ସହଯୋଗ କରିବାକୁ ସେମାନେ ଆକୁଳ ନିବେଦନ କରୁଛନ୍ତି।