ଭୁବନେଶ୍ବର: ମଉସା ଏଟିଏମ୍ କାର୍ଡ ଏମିତି କ’ଣ ଭର୍ତ୍ତି କରୁଛ? ଖରାପ ହୋଇଯିବ। ମୋ କଥା ମାନ କ୍ୟାନ୍ସେଲ କର। ପୁଣି କାର୍ଡ ଭର୍ତ୍ତି କରି ପାସଵାର୍ଡ ମାର। ଟଙ୍କା ଉଠିବ। ଏଭଳି ଚିକ୍କଣ କଥା କହି ୨ଜଣ ଧୂର୍ତ୍ତ ଜଣେ ବୃଦ୍ଧଙ୍କ ଏଟିଏମ୍ କାର୍ଡ ବଦଳାଇ ୪୦ହଜାର ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ହୋଇଥିବା ମହମ୍ମଦ ଫିରୋଜ(୬୫) ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗକାରୀ ଫିରୋଜଙ୍କ କହିବାନୁଯାୟୀ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ସେ ନୂଆପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିରସ୍ଥିତ ଏସ୍‌ବିଆଇ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଇବା ସମୟରେ ୨ଜଣ ଦୁର୍ବୃତ୍ତ ହଠାତ୍ ପଛପଟୁ ଆସି ଫିରୋଜଙ୍କୁ ଟଙ୍କା ଉଠାଇପାରୁନଥିବା କହି ଅନ୍ୟମନସ୍କ କରାଇଥିଲେ। ପରେ ସୁବିଧା ଦେଖି ୨ ଧୂର୍ତ୍ତ ତାଙ୍କ କାର୍ଡକୁ ବଦଳାଇ ଆଉ ଏକ କାର୍ଡ ଧରାଇ ଦେଇଥିଲେ। ଫିରୋଜ ଟଙ୍କା ଉଠାଇବା ପାଇଁ ପାସଵାର୍ଡ ମାରିଥିଲେ ହେଁ କାର୍ଡ କାମ କରିନଥିଲା। ଫିରୋଜ ପାସଵାର୍ଡ ମାରିବା ସମୟରେ ୨ ଧୂର୍ତ୍ତ ପାସଵାର୍ଡ ଠଉରାଇ ନେଇଥିଲେ।

ପରେ ଫିରୋଜ ଏଟିଏମ୍ ଛାଡ଼ି ଯିବା ପରେ ଧୂର୍ତ୍ତ ଦ୍ବୟ ଫିରୋଜଙ୍କ ଏଟିଏମ୍ ବ୍ୟବହାର କରି ୪୦ହଜାର ଟଙ୍କା ଉଠାଇଥିବା ସେ କହିଛନ୍ତି। ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।