ପୁରୁଣା ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା। ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୪୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ଭୋର୍ରୁ ନଦୀ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହ ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ, ମନ୍ଦିରରେ ପୂଜାର୍ଚନା କରିଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିର ଭୋର୍ ୩ଟାରେ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ସାଢ଼େ ୩ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା। ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ି ବାନ୍ଧି ଦର୍ଶନ କରିଥିଲେ। ସେହିପରି କେଦାରଗୌରୀ, କପିଳେଶ୍ୱର, ରାମେଶ୍ୱର, ସୂକ୍ଷ୍ମେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର, ଚିନ୍ତାମଣିଶ୍ୱର ଆଦି ବିଭିନ୍ନ ମନ୍ଦିରରେ ଭିଡ଼ ଜମିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଷଣ୍ଢ ଆକ୍ରମଣରେ ୮ଆହତ
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର, ବାସୁଦେବ ମନ୍ଦିରରେ ଦିନ ତମାମ ଭିଡ଼ ରହିଥିଲା। ଲକ୍ଷାଧିକ ଭକ୍ତଙ୍କ ଭିଡ଼ ମଧ୍ୟରେ ଷଣ୍ଢଙ୍କ ଯୋଗୁଁ ସମସ୍ୟା ଦେଖା ଦେଇଥିଲା। ଭିଡ଼ରେ ପର୍ଯ୍ୟଯକ ଯିବା ଆସିବାରେ ସମସ୍ୟା ଉପୁଜିବା ସହ ବହୁବାର ଷଣ୍ଢ ଲଢ଼େଇର ଶିକାର ହୋଇଥିଲେ। ଫଳରେ ୮ଜଣ ଲୋକ ଆହତ ହୋଇଛନ୍ତି। ଭୋରରୁ ବାସୁଦେବ ମନ୍ଦିର ନିକଟରେ ଷଣ୍ଢ ଲଢ଼େଇ ଯୋଗୁଁ ନାଗେଶ୍ବର ଟାଙ୍ଗୀ ଅଞ୍ଚଳର ୩ଜଣ ମହିଳା ଆହତ ହୋଇଛନ୍ତି। ସେହିପରି ପୂର୍ବାହ୍ନ ୯ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତରଦ୍ବାର ନିକଟରେ ଜଣେ ପରିବା ବ୍ୟବସାୟୀ ଓ ଜଣେ ମହିଳା ଆହତ ହୋଇଥିଲେ। ଧର୍ମଶାଳା ନିକଟରେ ଜଣେ ବ୍ୟକ୍ତିଙ୍କୁ ଷଣ୍ଢ କଚାଡ଼ି ଫୋପାଡ଼ି ଦେଇଥିଲା। ଏହି ସମୟରେ ଷଣ୍ଢ ଦୁଇଜଣ ଯୁବତୀଙ୍କୁ ମାରି ଆହତ କରିଥିଲା।