ଭୁବନେଶ୍ବର: ଗତକାଲି ଭୁବନେଶ୍ବର ୟୁନିଟ-୧ ମାର୍କେଟର ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ଅଭିଯୋଗ ପରେ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଗଲା। ସରକାର ଧାର୍ଯ୍ୟ କରିଥିବା ଦାମ୍ରେ ଆଳୁ ବିକିବାକୁ ଆଳୁ ବ୍ୟବସାୟୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଗଲା। ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସାୟୀଙ୍କୁ ଚେତାବନୀ ମଧ୍ୟ ମିଳିଲା। କିନ୍ତୁ ରାଜଧାନୀର ସ୍ଥିତିରେ କିଛି ପରିବର୍ତ୍ତନ ଆସିଲାନାହିଁ। ଆଜି ମଧ୍ୟ ବଜାରରେ ଆଳୁ ୪୫ ଟଙ୍କାରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଖାଉଟିମାନେ ଅଭିଯୋଗ କରିଛନ୍ତି।
ଏକ ନମ୍ବର ହାଟରେ ଆଳୁ ଆଜି କେଉଁଠି ୩୫ ତ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଗତକାଲି ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀ କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରି କରିବାକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ୱରର ବିଭିନ୍ନ ଡିଲରଙ୍କୁ ଆଳୁ ଦେବା ଆରମ୍ଭ କରିଥିବାରୁ, ୧୦୦ ଟଙ୍କାରେ ୩ କିଲୋ ଆଳୁ ଗ୍ରାହକ ପାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ସରକାରୀ ଖୁଚୁରା ବିକ୍ରୟକେନ୍ଦ୍ରରେ ଆଳୁ ୩ କେଜିରେ ୧୦୦ ମିଳୁଛି ସିନା ଆଳୁ ବାଛିବାକୁ ବ୍ୟବସାୟୀ ମନା କରୁଛନ୍ତି। ଫଳରେ ୩ କେଜି ଆଳୁ ୧୦୦ଟଙ୍କାରେ ନେଇ ମଧ୍ୟ ଖାଉଟି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆଳୁରୁ ଅଧାକେଜି ପଚା ତ ପୁଣି କିଛି ଆଳୁ ନୀଳ ରଙ୍ଗର ହୋଇଥିବାରୁ ସିଝୁ ନାହିଁ। ଏହା ୟୁପି ଆଳୁ ହୋଇଥିବାରୁ ସ୍ବାଦରେ ମଧ୍ୟ ପ୍ରଭେଦ ଦେଖିବାକୁ ମିଳୁଛି। ବର୍ଦ୍ଧିତ ଆଳୁ ଦରକୁ ନେଇ ଚିନ୍ତାରେ ଥିବା ସାଧାରଣ ଖାଉଟିଙ୍କୁ କେଉଁବାଟେ ହେଲେ ଆଶ୍ବସ୍ତି ମିଳୁନି। କମ୍ ଦାମରେ ଆଳୁ ମିଳୁନଥିବାରୁ କଣ୍ଟ୍ରୋଲ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ସିନା, କିନ୍ତୁ ସେମାନେ ହତାଶ ହୋଇ ଫେରୁଛନ୍ତି।
ସହରର ଅନ୍ୟ ଖୁଚୁରା ବ୍ୟବସାୟୀମାନେ ପୂର୍ବଭଳି ୪୦ରୁ ୪୫ ଟଙ୍କା ଦରରେ ଆଳୁ ବିକ୍ରି କରୁଛନ୍ତି। କିଛି ଜାଗାରେ ୫୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କିଟ୍ ଛକ ନିକଟରେ ଆଜି ବ୍ୟବସାୟୀ କେଜି ପିଛା ୫୦ ଟଙ୍କା ଆଳୁ ବିକ୍ରି କରୁଥିବା ଗୁଣ୍ଡ ଆଳୁ ୩ କେଜିକୁ ୧୦୦ଟଙ୍କା ବିକୁଛନ୍ତି। ଖଣ୍ଡଗିରି, ପାତ୍ରପଡ଼ା, ରସୁଲଗଡ଼, ଝାରପଡ଼ା ଅଞ୍ଚଳରେ ୪୦ରୁ ୪୫ ଟଙ୍କା ଦରରେ ଆଳୁ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବା କଥା, ଚଢ଼ା ଦରରେ ଆଳୁ କିଣି ଥିବାରୁ ଦର କମ୍ କରି ଆଳୁ ବିକ୍ରି କରି ପାରିବୁ ନାହିଁ। ତେଣୁ ପୂର୍ବ ଦରରେ ଆଳୁ ବିକ୍ରି କରୁଛୁ। ତେବେ କେବେ ଆଳୁ ଦର ନିୟନ୍ତ୍ରଣକୁ ଆସିବ ସେ ନେଇ କେହି କହି ପାରୁ ନାହାନ୍ତି।