ବାଲିଅନ୍ତା: ବାଳକାଟି ଅଞ୍ଚଳର ଆରାଧ୍ୟ ଦେବତା ସ୍ବପ୍ନେଶ୍ବର ମହାଦେବଙ୍କୁ ନେଇ ଦୀର୍ଘ ୪୦ ବର୍ଷ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା ଥାନପତି ସ୍ବପ୍ନେଶ୍ବର ଦେବ ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟିଏ ମନ୍ଦିରରୁ ଆଉ ଗୋଟିଏ ମନ୍ଦିର ଘୂରି ବୁଲିବା ପରେ ଶେଷରେ ନିଜର ବିଜେସ୍ଥଳୀ ପଣସପାଟଣାସ୍ଥିତ ମନ୍ଦିରକୁ ପ୍ରବେଶ କରିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି।

Advertisment

ଆଜି ପୂର୍ବାହ୍ଣରେ ପ୍ରତାପଶାସନ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଦେବୋତ୍ତର ବିଭାଗ ନିରୀକ୍ଷକ ନିରୋଜ ଛୋଟରାୟଙ୍କ ଉପସ୍ଥିତିରେ ବିଭାଗୀୟସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୪ ଦେଶର ମୁରବିଙ୍କ ସମେତ ଶତାଧିକ ବାସିନ୍ଦା ଉପସ୍ଥିତ ରହି ସେମାନଙ୍କର ସହମତି ବିଭାଗୀୟ ଅଧିକାରୀଙ୍କ ଆଗରେ ସ୍ପଷ୍ଟ କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା ମଣ୍ଡଳୀ ସଭ୍ୟ ଚୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ୪ ଦେଶବାସୀ ୧୩ ସଭ୍ୟଙ୍କ ନାମ ମନୋନୀତ କରିଥିଲେ। ପାଖାପାଖି ୪୦ ବର୍ଷ ତଳେ ଉକ୍ତ ମନ୍ଦିରରୁ ସ୍ବପ୍ନେଶ୍ବର ଦେବଙ୍କ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ନିର୍ମିତ ମୂର୍ତି ଚୋରି ହୋଇଯାଇଥିଲା। ଏହା ପରଠାରୁ ମନ୍ଦିର ସେବାୟତ ଓ ୪ ଦେଶ ମଧ୍ୟରେ ନିର୍ଦିଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଘଟଣା ଥାନା ଓ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ବିବାଦର ସମାଧାନ ହେବା ସମ୍ଭବ ନ ହେବାରୁ ଅଷ୍ଟଧାତୁରେ ନିର୍ମିତ ହର ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ବାସୁଦେବଙ୍କ ମନ୍ଦିରରେ ରଖି ପ୍ରତିଷ୍ଠା କରାଯାଇଥିଲା। ପରେ ୮୦ ଘର ସାହି ଠାକୁର ଘର, ପ୍ରତାପଶାସନସ୍ଥିତ ବାଲୁଙ୍କେଶ୍ବର ଦେବ ମନ୍ଦିର ଓ ବସନ୍ତପେଡ଼ି ଗ୍ରାମ ଗୋପୀନାଥ ଦେବ ମନ୍ଦିରରେ ସ୍ଥାପନ କରି ପୂଜାର୍ଚ୍ଚନା ହୋଇଥିଲା। ଶେଷରେ ସେଠାରୁ ମା’ ଦୁଲ୍ଲା ଦେବୀ ମନ୍ଦିରରେ ସ୍ବପ୍ନେଶ୍ବର ଦେବଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା ଚାଲିଛି। ମନ୍ଦିର ଗୋଟିଏ ସ୍ଥାନରେ ଥିବା ବେଳେ ଠାକୁର ଅନ୍ୟତ୍ର ପୂଜା ପାଇବା ନେଇ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଉଲ୍ଲେଖ‌ଯୋଗ୍ୟ, ଦୋଳମେଳଣ ବେଳେ ସ୍ବପ୍ନେଶ୍ବର ଦେବଙ୍କୁ ମେଳଣ ମଣ୍ଡପରେ ସ୍ଥାପନ କରି ହରହରି ଭେଟ ପରମ୍ପରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଚନ୍ଦନଯାତ୍ରା, ଶୀତଳଷଷ୍ଠୀ ଓ ଶିବରାତ୍ରି ହେଉଛି ସ୍ବପ୍ନେଶ୍ବର ଦେବଙ୍କର ଅନ୍ୟତମ ପ୍ରମୁଖ ପର୍ବ। ସ୍ବପ୍ନେଶ୍ବର ଦେବଙ୍କ ପୂଜାବିଧି ତଥା ଅନ୍ୟାନ୍ୟ ପର୍ବପର୍ବାଣୀ କାର୍ଯ୍ୟ ତୁଲାଇବା ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ମାର୍ଫତଦାରଙ୍କ ଭୋଗ ଦଖଲରେ ରହିଛି। ଏ ସଂପର୍କରେ ଶ୍ରୀ ଛୋଟରାୟଙ୍କୁ ପଚାରିବାରେ ସେ କହିଥିଲେ, ପରିଚାଳନା ମଣ୍ଡଳୀ ସଭ୍ୟ ଗଠନ ପ୍ରକ୍ରିୟା ସଂପର୍କରେ ଆପତ୍ତି ଅଭିଯୋଗ ନେଇ ମାସେ ସମୟ ସୀମା ରହିଛି। ବିଭାଗ ଜରିଆରେ ସରକାରୀ ଅନୁମୋଦନ ପାଇବା ପରେ ଏହି କମିଟି ବୈଧ ଘୋଷଣା ହେବ।