ବାଲିପାଟଣା: ଆଉ ଦିନ କେଇଟା ପରେ ଧାନ ଅମଳ କରିଥାନ୍ତା ଚାଷୀ। ବିଲରୁ କାଟିବା ପାଇଁ ସଜବାଜ ହେଉଥିଲା‌। ହେଲେ ପାଖ ଜମିରେ ନଡ଼ା ପୋଡ଼ିବାକୁ ଲଗାଯାଇଥିବା ନିଆଁ ଚାହୁ ଚାହୁ ଏହି ପାଚିଲା ଧାନ କିଆରୀକୁ ମାଡ଼ି ଯାଇଥିଲା। ବିଲକୁ ବିଲ ଡେଇଁ ପୂରା ୨୦ ଏକର ଜମିରେ ଥିବା ପାଚିଲା ଧାନ ଅମଳ ପୂର୍ବରୁ ଜଳିଗଲା। ଆଜି ମଧ୍ୟାହ୍ନରେ ବାଲିପାଟଣା ବ୍ଲକ ବିଶ୍ୱନାଥପୁର ଓ ସାତକାବାଦ ଗହୀରରେ ଏଭଳି ଅଘଟଣ ଘଟିଛି। ମାଲିକ ଆଖି ଆଗରେ ନିଜ କଷ୍ଟ ଅର୍ଜିତ ସମ୍ପତ୍ତି ଜଳି ଯାଇଛି। ଏଥିରେ ୪ଶହ କ୍ବିଣ୍ଟାଲ ଧାନ ଜଳିଯାଇଥିବା ଚାଷୀ ଆକଳନ କରିଛି। ପ୍ରଥମେ ସ୍ଥାନୀୟ ଲୋକମାନେ ଲାଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିବା ବେଳେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି। 

Advertisment

ସୂଚନା ମୁତାବକ, ଜଣେ ଚାଷୀ ଧାନ ଅମଳ ପରେ ନିଜ ବିଲରେ ମୁଗ ବୁଣିବା ପାଇଁ ଯୋଜନା କରିଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ନିଜ ବିଲରେ ଥିବା ନଡ଼ା କୁଟାକୁ ନଷ୍ଟ କରିବା ପାଇଁ ନିଆଁ ଲଗାଇଥିଲେ। ପବନରେ ନିଆଁ ଉଡ଼ି ପାଖ କିଆରୀରେ ପହଞ୍ଚିଥିଲା। ଚାହୁ ଚାହୁ ପ୍ରାୟ ଗୋଟିଏ କିଆରୀରୁ ଆଉ ଗୋଟିଏ କିଆରୀକୁ ବ୍ୟାପୀ ଯାଇଥିଲା। ଏଥିରେ ଏକାଧିକ ଚାଷୀ କ୍ଷତ୍ରଗ୍ରସ୍ତ ହୋଇଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ସହାୟତା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି। ତେବେ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ।