କମ୍ ଦାମରେ ତେଲ ଦେବାକୁ କହି ୪୦ ହଜାର ଚୂନ: ଟଙ୍କା ନେଇ ଏକ ନମ୍ବର ହାଟକୁ ଗଲା, ଆଉ ଫେରିଲାନି

ଭୁବନେଶ୍ବର: କମ୍‌ ଦାମ୍‌ରେ ସନ୍‌ଫ୍ଲାୱାର୍‌ ତେଲ ଯୋଗାଇବାକୁ କହି ଜଣେ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କାର ଚୂନ ମାରିଛି ଧୂର୍ତ୍ତ। ଠକାମିର ଶିକାର ଯୁବକ ଶଶବିନ୍ଦୁ ରାୟ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଶଶିବିନ୍ଦୁଙ୍କ ଘର ଜଗତସିଂହପୁରରେ। ସେ ଜୟଦେବବିହାରରେ ଏକ ମାର୍କେଟିଂ ସଂସ୍ଥାରେ କାମ କରନ୍ତି। ଏକ ହୋଟେଲରେ ଖାଇବା ସମୟରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ଗାଁରେ ଶଶିଙ୍କର ତେଜରାତି ଦୋକାନ ଥିବା ଜାଣିବା ପରେ ଯୁବକଜଣଙ୍କ ତାଙ୍କୁ ଠକିବାକୁ ଯୋଜନା କରିଥିଲା।

କମ୍ ଦାମରେ ସନ୍‌ଫ୍ଲାୱାର୍‌ ତେଲ ଯୋଗାଇବ ବୋଲି କହିଥିଲା। ଏଥିରେ ଶଶି ରାଜି ହୋଇଯାଇଥିଲେ ଓ ପ୍ରଥମେ ୪୦ହଜାର ଟଙ୍କାର ତେଲ ନେବେ ବୋଲି କହିଥିଲେ। ଠକ ଏକ ଡାଲା ଅଟୋ ଧରି ଏକ ନମ୍ବର ହାଟ ପାଖରେ ପହଞ୍ଚି ଶଶିଙ୍କୁ ଡକାଇଥିଲା। ଶଶି ସେଠାରେ ପହଞ୍ଚିବା ପରେ ଠକ ତାଙ୍କୁ ଅଟୋ ନିକଟରେ ଛିଡ଼ା କରି ତାଙ୍କଠାରୁ ୪୦ହଜାର ଟଙ୍କା ନେଇଥିଲା। ଶଶିଙ୍କୁ ସେହିଠାରେ ଅପେକ୍ଷା କରିବାକୁ କହି ଏକ ନମ୍ବର ହାଟ ଭିତରକୁ ଯାଇଥିଲା। କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ ଫେରି ନ ଥିଲା। ଶଶିଙ୍କ ମନରେ ସନ୍ଦେହ ହେବାରୁ ସେ ଫୋନ୍ କରିଥିଲେ। କିନ୍ତୁ ଠକର ଫୋନ୍‌ ସ୍ବିଚ୍-ଅଫ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର