ବାଲିପାଟଣା: ନିଛାଟିଆ ରାସ୍ତାରେ ଯୁବକଙ୍କଠାରୁ ମୋବାଇଲ୍ ଫୋନ୍ ଛଡ଼ାଇନେଲେ। ଫେରାର୍ ହେବାର ମାତ୍ର ଅଧ ଘଣ୍ଟା ଭିତରେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ଜରିଆରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଡ଼ାଇନେଲେ। ଅଭିଯୋଗ ପରେ ଅବଶ୍ୟ ବାଲିପାଟଣା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ ସନ୍ଦିଗ୍ଧଙ୍କୁ ଉଠାଇବା ସହ ବାଇକ୍ ଜବତ କରିଛି। ଲୁଟ୍ର ଶିକାର ହୋଇଥିବା ଯୁବକ ଜଣେ ସନ୍ଦିଗ୍ଧକୁ ଚିହ୍ନଟ କରିଥିବା ବେଳେ ଲୁଟ୍ ବେଳେ ବ୍ୟବହୃତ ବାଇକ୍କୁ ଚିହ୍ନଟ କରିଛନ୍ତି। ତଦନ୍ତ ସରି ନଥିବାରୁ ପୁଲିସ ପୂରା ବିବରଣୀ ଜଣାଇନାହିଁ।
ସୂଚନାନୁସାରେ, ଗତ ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଅସ୍ତରଙ୍ଗ ଅଞ୍ଚଳର ହର୍ଷ ଦଳେଇ (୩୨) କୌଣସି କାମରେ ଆଇତଳଙ୍ଗ ଗ୍ରାମକୁ ଆସିଥିଲେ। କାମ ସାରି ସେ ଅସ୍ତରଙ୍ଗ ଫେରିବା ସମୟରେ ସରଦେଇପୁର-ନିମାପଡ଼ା ରାସ୍ତାରେ ଓଡ଼ଖଣ୍ଡ ନିକଟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ଦ୍ରୁତବେଗରେ ବାଇକ୍ ଚଳାଇ ଛୁ’ ମାରିଥିଲେ। ହର୍ଷ ବାଲିପାଟଣା ଥାନାରେ ପହଞ୍ଚି ଅଭିଯୋଗ କରିବା ଭିତରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ରେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ କରି ୪୦ ହଜାର ଟଙ୍କା ନେଇଯାଇଥିଲେ। ହର୍ଷଙ୍କ ସୂଚନାକୁ ଆଧାର କରି ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସେମାନେ ପେସାଦାର ଲୁଟେରା ଏବଂ ନିଶା କାରବାରରେ ସମ୍ପୃକ୍ତ ବୋଲି ଜଣାପଡ଼ିଛି। ସେମାନେ ପୂର୍ବରୁ ଜେଲ୍ ଯାଇଥିବା ପୁଲିସ ସୂଚନା ଦେଇଛି।