ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ନୀଳାଦ୍ରିବିହାରରୁ ଖଣ୍ଡଗିରି ହେଉ ଅଥବା ରସୁଲଗଡ଼ରୁ ଜାଗମରା, ସବୁଠି ହୁ ହୁ ହୋଇ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ପ୍ରତି ବସ୍ତି, କଲୋନିବାସୀ ଜ୍ବରରେ ଥରୁଛନ୍ତି। କିଏ ଘରେ ତ ଆଉ କିଏ ମେଡିକାଲରେ ଚିକିତ୍ସାଧୀନ। କେହି କେହି ଔଷଧ ଖାଇ ରୋଗକୁ ଚାପିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ମଶାବଂଶ ଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଧୂଆଁ ଗାଡ଼ି ବୁଲୁ ନାହିଁ କି ସଠିକ୍‌ ଭାବେ ସଫେଇ ହେଉନାହିଁ। ପରିଣାମ ସ୍ବରୂପ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲା ଏବେ ଓଡ଼ିଶାର ହଟ୍‌ସ୍ପଟ୍‌ ପାଲଟିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କେବଳ ଭୁବନେଶ୍ବର ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ତାଙ୍କ ପତ୍ନୀ ଡେଙ୍ଗୁ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଶ୍ରୀ ଓରାମଙ୍କ ସୂଚନା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ପତ୍ନୀଙ୍କ ପ୍ଲାଟିଲେଟ୍‌ ୪୦ ହଜାରକୁ ଖସି ଆସିଥିବା ବେଳେ ତାଙ୍କର ୫୩ ହଜାରରେ ରହିଥିଲା। ପରବର୍ତ୍ତୀ ସମୟରେ ସେଥିରେ ସାମାନ୍ୟ ଉନ୍ନତି ହେବା ସହ ଶନିବାର ସନ୍ଧ୍ୟା ବେଳକୁ ତାଙ୍କ ପ୍ଲାଟିଲେଟ୍‌ ୯୩ ହଜାର ରହିଥିବା ସେ କହିଥିଲେ। କେବଳ ଯେ ନୀଳାଦ୍ରିବିହାର କିମ୍ବା ଲୁମ୍ବିନି ବିହାରରେ ଡେଙ୍ଗୁ ହୋଇଛି ତାହା ନୁହେଁ, ଭୁବନେଶ୍ବର ସାଲିଆସାହି, ଆଇଆରସି ଭିଲେଜ, ଜାଗମରା, ଜୟଦେବବିହାର, ଖଣ୍ଡଗିରି, ନୂଆପଲ୍ଲୀ, ପଥରଗାଡ଼ିଆ, ପଟିଆ, ରସୁଲଗଡ଼, ରେଣ୍ଟାଲ କଲୋନି, ଶିଖରଚଣ୍ଡୀ ଏବେ ମଶାଙ୍କ ଆଡ଼ାସ୍ଥଳୀ ପାଲଟିଛି। ଗୋଟିଏ ପଟେ ଡେଙ୍ଗୁ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ବିଏମସି ମଶା ଧୂଆଁ ଗାଡ଼ି ବୁଲାଉ ନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ ଡେଙ୍ଗୁରେ ଏକ ନମ୍ବର ଥିବା ଖୋର୍ଦ୍ଧା ଜିଲ୍ଲାରେ କେମିତି ଏହାକୁ ଦମନ କରାଯିବ ତାହା ବିଏମସି ପାଇଁ ବଡ଼ ଆହ୍ବାନ ପାଲଟିଛି।

ଚିହ୍ନଟ ‌ହେଲେଣି ୪୦୬ ରୋଗୀ
ଚିନ୍ତା ପ୍ରକଟ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ରାଜଧାନୀବାସୀ ଛାନିଆ

ସହରର ଡେଙ୍ଗୁ ସ୍ଥିତିକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଚିନ୍ତାପ୍ରକଟ କରିବା ସହ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବାକୁ ଯିବା ସମୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ୍‌ କହିଥିଲେ ଯେ ଶ୍ରୀମତୀ ଓରାମଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନାହିଁ। ରାଜ୍ୟର ଡେଙ୍ଗୁ ସ୍ଥିତି ନେଇ ଦୁଇ ଦିନ ତଳେ ସମୀକ୍ଷା କରିଛି। ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଲକ୍ଷଣ ଥିବା ଅଧିକ ବ୍ୟକ୍ତିବିଶେଷଙ୍କ ପରୀକ୍ଷଣ ହେଉଛି ଏବଂ ଚିହ୍ନଟ ମଧ୍ୟ ହେଉଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ସମସ୍ତ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା କରିଛି। ଭୁବନେଶ୍ବର ଉପରେ ଅଧିକ ଗୁରୁତ୍ବ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି। ସେ ନିୟମିତ ଭାବେ ବିଏମ୍‌ସି ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି। ନଗର ଉନ୍ନୟନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଡେଙ୍ଗୁ ମୁକାବିଲା ଦିଗରେ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଅଧିକ ସଂଖ୍ୟାରେ ଆଇସୋଲେସନ୍‌ ୱାର୍ଡ ଖୋଲିବା ଉପରେ ପ୍ରାଥମିକତା ଦିଆଯାଇଛି। ଡେଙ୍ଗୁ ରୋଗୀଙ୍କୁ କିଭଳି ପର୍ଯ୍ୟାପ୍ତ ପରିମାଣର ପ୍ଲାଟିଲେଟ୍‌ ମିଳିପାରିବ ସେଦିଗରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି।
ରାଜ୍ୟରେ ଭୁବନେଶ୍ବର ଆଗରେ

ଗତବର୍ଷ ପରି ଏଥର ବି ରାଜ୍ୟର ସବୁ ଜିଲ୍ଲାକୁ ମାଡ଼ିଗଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ ରହିଥିଲା। ଏଥର ବି ସଂଖ୍ୟା ୨୦୭୨ରେ ପହଞ୍ଚିଛି। ୨୦୨୩ ପରି ଏଥର ବି ସର୍ବାଧିକ ଡେଙ୍ଗୁ ରୋଗୀ ରାଜଧାନୀରୁ ହିଁ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩୭ ଛୁଇଁଛି। ସେଥିମଧ୍ୟରୁ କେବଳ ଭୁବନେଶ୍ବରରେ ୪୦୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜୁଲାଇ ଓ ଅଗଷ୍ଟ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦୦ ରୋଗୀଙ୍କ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ୧୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି ୧୯୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୩ ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ବତନ୍ତ୍ର ୱାର୍ଡ କରାଯାଇଛି। ଗୋଟିଏ ୱାର୍ଡରେ ରୋଗୀ ଥିବା ବେଳେ ଅନ୍ୟଟି ଖାଲି ରହିଛି। ୨୦ଜଣ ଆକ୍ରାନ୍ତଙ୍କୁ ରଖିବାକୁ ଏକ ସ୍ବତନ୍ତ୍ର ରୁମ୍‌ ରହିଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ତଳକୁ ସୁନ୍ଦରଗଡ଼, ରାଉରକେଲା, କଟକ ଓ ବଲାଙ୍ଗୀର ସହର ରହିଛି।

ଡେଙ୍ଗୁ ମୃତ୍ୟୁକୁ ନେଇ ତୁ ତୁ ମେଁ ମେଁ
ଡେଙ୍ଗୁ ମୃତ୍ୟୁକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ବିଜେପି ନେତା ତଥା ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ସିଧାସଳଖ ବିଏମ୍‌ସି ଉପରେ ଦୋଷ ଲଦିଛନ୍ତି। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ ବିଏମ୍‌ସି ଯେଉଁ ପଦକ୍ଷେପ ନେବା କଥା ସେଥିରେ କେଉଁଠି ନା କେଉଁଠି ଅବହେଳା ହୋଇଛି। ଏହା ଉପରେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ସହରବାସୀଙ୍କୁ ସେବା ଯୋଗାଇବାରେ ବିଏମ୍‌ସି ଅବହେଳା କରୁଛି। କାହିଁକି ଭୁବନେଶ୍ବରରେ ଅଧିକ ଡେଙ୍ଗୁ ରୋଗୀ ରହୁଛନ୍ତି ତାହାର ଜବାବ ବିଏମ୍‌ସିଠାରୁ ମଗାଯିବ। ସେପଟେ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତବର୍ଷଠାରୁ ଏଥର ଡେଙ୍ଗୁ ନିୟନ୍ତ୍ରଣରେ ରହିଛି। ଆମେ କେବେ ବି ଡେଙ୍ଗୁକୁ ହାଲୁକା ଭାବେ ନେଇନାହୁଁ। ମଶା ତେଲ ପକାଯାଉଛି। ବିଭିନ୍ନ ଅଞ୍ଚଳରେ ସ୍ପ୍ରେ କରାଯିବା ସହ ସଫେଇ ଉପରେ ଫୋକସ୍‌ ରହିଛି। ଡ୍ରାଏ ଡେ’ ଠିକ୍‌ ଭାବେ ପାଳନ କରିବା ସହ ଅଧିକ ଦିନ ଧରି ପାଣି ଯେପରି ଜମି ନରୁହେ ସେଥିପ୍ରତି ଗୁରୁତ୍ବ ଦେବାକୁ ଭୁବନେଶ୍ବରବାସୀଙ୍କୁ ଅନୁ‌ରୋଧ କରାଯାଇଛି।