ରାଜଧାନୀରେ ଦିନକରେ ୪୦୯ ଆକ୍ରାନ୍ତ, ଗଣମାଧ୍ୟମ ସଂସ୍ଥାରୁ ପୁଣି ୧୨ ଚିହ୍ନଟ

ଗୃହ ସଂଗରୋଧ ପଜିଟିଭ୍‌ଙ୍କ ପାଖରେ ପହଞ୍ଚିପାରୁନି ଔଷଧ

ଭୁବନେଶ୍ୱର : ଲଗାତାର ୩ଦିନ ଧରି ରାଜଧାନୀରେ ୫ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ଏହି ସଂଖ୍ୟା କମିଛି। ଦିନକରେ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧୨ରେ ପହଞ୍ଚିଛି। ତେବେ ଗତକାଲି ଏକ ଗଣମାଧ୍ୟମ ସଂସ୍ଥାରୁ ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣିଥିରେ ୧୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୪୮ଘଣ୍ଟାରେ ଗଣମାଧ୍ୟମ ସଂସ୍ଥାରୁ ସମୁଦାୟ ୪୩ଜଣ ଚିହ୍ନଟ ହୋଇ ସାରିଲେଣି। ଚିହ୍ନଟ ୪୦୯ ଆକ୍ରାନ୍ତଙ୍କ ମଧ୍ୟରେ ୨୪୨ଜଣ ସଙ୍ଗରୋଧରୁ ଓ ୧୬୭ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୧ଜଣ, କେଳା ବସ୍ତି ଓ ଚକେଇସିଆଣିରୁ ୮ଜଣ ଲେଖାଏଁ, ୬ଜଣ ସରକାରୀ କର୍ମଚାରୀ, ଷ୍ଟେସନ୍ ଛକରୁ ୭ଜଣ, ଶଖରଚଣ୍ଡୀ ସାହି ଓ ଶୈଳଶ୍ରୀ ବିହାରରୁ ୬ଜଣ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ବାହାରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ୩ଟି ଘରୋଇ ହସ୍ପିଟାଲର କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଲୋକାଲ କଣ୍ଟାକ୍ଟ ମଧ୍ୟରେ ସାଲିଆସାହି, ତ୍ରିନାଥ ଓ କେଳା ବସ୍ତି, ଭଗବତୀ ବସ୍ତି, ଫୁଲେଶ୍ବରୀ, ଶିଖରଚଣ୍ଡୀ ଓ ଦୂରଦର୍ଶନ କଲୋନିରୁ ଆକ୍ରାନ୍ତ ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୮୬୭ରେ ପହଞ୍ଚିଛି। ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୮୯୦ ରହିଛି। ରାଜଧାନୀରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି।

ଗୃହ ସଂଗରୋଧ ପଜିଟିଭ୍‌ଙ୍କ ପାଖରେ ପହଞ୍ଚିପାରୁନି ଔଷଧ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ଶତାଧିକ କରୋନା ପଜିଟିଭ୍‌ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି। ଆଂଶିକ ଭାବେ ସଂକ୍ରମିତ ହୋଇଥିବାରୁ ସେମାନଙ୍କ ଠାରେ ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇନଥିବା କୁହାଯାଉଛି। ତେବେ ଏହି କୋଭିଡ୍‌ ସଂକ୍ରମିତ ପରିବାରଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଏମିତିକି ସଂପୃକ୍ତ ପଜିଟିଭ୍‌ ଚିହ୍ନଟ ଲୋକଙ୍କ ନିକଟରେ ଖା‌ଦ୍ୟ ସାମଗ୍ରୀ ଏବଂ ଔଷଧ ପୁଡ଼ିଆ ଠିକ୍‌ରେ ପହଞ୍ଚୁନଥିବା ନେଇ ଅଭିଯୋଗ ହେଉଛି। ସବୁଠୁ ବଡ଼ କଥା ବ୍ଲକ ପ୍ରଶାସନ ପକ୍ଷରୁ କରୋନା ପ୍ରତିହତ କାର୍ଯ୍ୟକ୍ରମ ଉପରଠାଉରିଆ ଭାବେ ପରିଚାଳନା କରାଯାଉନଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଯାହାଫଳରେ ବାଲିଅନ୍ତା ଅଞ୍ଚଳରେ କରୋନାରେ ପୀଡ଼ିତ ହୋଇ ୮ ଜଣଙ୍କର ପ୍ରାଣହାନୀ ଘଟିସାରିଲାଣି। ଶେଷ ଖବର ମୁତାବକ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୫ ଜଣଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ଭିତରେ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଦ୍ୟ ଚିହ୍ନଟ ଏହି ଆକ୍ରାନ୍ତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର