ଭୁବନେଶ୍ୱର: ସରକାରଙ୍କ ଦ୍ବାରା ଦିଆଯାଇଥିବା ଦାୟିତ୍ବ ନିର୍ବାହକରି ଏନ୍ଜିଓମାନେ ଆନନ୍ଦଲାଭ କରୁଥିବେ। ସାଧାରଣ ଲୋକଙ୍କ ସେବାକରି ସନ୍ତୋଷ ମଧ୍ୟ ପାଉଥିବେ। ହେଲେ ଏହା ପଛରେ ରହିଥିବା ଷଡ୍ଯନ୍ତ୍ରକୁ ସେମାନେ ବୁଝିବା ଦରକାର। ସେମାନେ କେବଳ ସରକାରୀ କାମକୁ ସମ୍ପୂର୍ଣ୍ଣ କରିବାରେ ବ୍ୟସ୍ତ ରହିଲେ ହେବ ନାହିଁ। ଏଭଳି କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଭଞ୍ଜକଳାମଣ୍ଡପରେ ଆୟୋଜିତ ସାମାଜିକ ଅନୁଷ୍ଠାନ ‘ବିକାଶ’ର ୪୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ ଯେ ଏନ୍ଜିଓମାନେ ନାଗରିକ ସମାଜର ନେତୃତ୍ବ ନେବା ଉଚିତ। ନାଗରିକ ସମାଜର ଦାୟିତ୍ବ ବୁଝି ଗଣତନ୍ତ୍ରର ରକ୍ଷା କରିବା ଆବଶ୍ୟକ। ଏହା ସେମାନଙ୍କର ମୂଳମନ୍ତ୍ର। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଅଶୋକ ନନ୍ଦ ଓଡ଼ିଶାକୁ କୁଷ୍ଠରୋଗମୁକ୍ତ କରିବା ଓ ସେମାନଙ୍କ ଥଇଥାନ କରିବାରେ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତା ପୂରଣ କରିପାରିବେ ନାହିଁ।
ଅନ୍ୟପକ୍ଷରେ ବେସରକାରୀ ସଂଗଠନଗୁଡ଼ିକ ସରକାର କରିପାରୁ ନଥିବା କାର୍ଯ୍ୟକୁ ସଫଳ କରିବାରେ ସମସ୍ତ ପ୍ରକାର ସହାୟତା କରନ୍ତି ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘ସ୍ପନ୍ଦନ’ ଉନ୍ମୋଚିତ ହୋଇଥିଲା। ପ୍ରତିଷ୍ଠା ଦିବସରେ ୧୪ଜଣ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିକାଶର ଅଧ୍ୟକ୍ଷ କେ. ହରିହର ରାଓ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା ମଣ୍ଡଳୀ ସଦସ୍ୟ ତୁଷାରକାନ୍ତି ରାୟ, ପ୍ରଦୀପ ପଟ୍ଟନାୟକ, ଦେବାଶିଷ ପଣ୍ଡା, ରେଣୁବାଳା ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥିଭାବେ ସାମୁଏଲ ବେହେରା ଯୋଗଦେଇଥିବା ବେଳେ ବୈଷୟିକ ପର୍ଯ୍ୟାୟରେ ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ହୋତା ବାର୍ଷିକ ବିବରଣୀ ପାଠ କରିଥିଲେ।