ଖଣ୍ଡଗିରି: ସରଳ ହୁଅ। ମନରେ ଦୟା ଭାବ ରଖି ସେବା, ପ୍ରେମ ଓ ସମର୍ପଣର ସହ କାମ କରିଚାଲ। ପାଠପଢ଼ି ଯେ କୌଣସି କ୍ଷେତ୍ରରେ ଶ୍ରେଷ୍ଠ ହୁଅ। ସର୍ବଦା ଶିଖିବାକୁ ଆଗ୍ରହ ରଖିବା ସହ ପ୍ରଶ୍ନ ପଚାରିବାକୁ ଭୁଲ ନାହିଁ। ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଶୁକ୍ରବାର ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏଭଳି କହିଛନ୍ତି।
ଏହି ସଭାରେ ବିଦ୍ୟାଳୟର ପୁରାତନ ଛାତ୍ର ପଦ୍ମଲୋଚନ ପୃଷ୍ଟି, ବିଦ୍ୟାଳୟ ଯୁଗ୍ମ ସମ୍ପାଦକ ସୁଦର୍ଶନ ମିଶ୍ର, ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ, ଉପସଭାପତି ଏସ୍ଏନ୍ ତ୍ରିପାଠୀ, ଉପାଧ୍ୟକ୍ଷ ମନୋଜ କୁମାର ଦାସ, ୟୁନିୟନ୍ ବ୍ୟାଙ୍କ୍ର ଜେନେରାଲ୍ ମ୍ୟାନେଜର ସର୍ବେଶ୍ୱର କୁମାର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ର ତଥା ଜାତୀୟ କ୍ରୀଡ଼ାବିତ୍ ମନ୍ୱୟ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ରାଉତରାୟ ପରିଚାଳନା କରିଥିଲେ।