ଭୁବନେଶ୍ବର: ଚୋରାରେ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଆଜି ଭୁବନେଶ୍ବର ରେଳବାଇ ଥାନା ପୁଲିସ ଦୁଇ ଜଣ ବଙ୍ଗୀୟ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୧ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ନୋଏଡାରେ ରହୁଥିବା ପଶ୍ଚିମବଙ୍ଗ ମାଲ୍ଦା ଅଞ୍ଚଳର ସଞ୍ଜୟ ବେନ, ବାସନ୍ତି ଦାସ ଓ ଉନ୍ନତି ମଣ୍ଡଳ। ଓଡ଼ିଶାରୁ ମାଲ୍ ନେଇ ଏମାନେ ଉତ୍ତରପ୍ରଦେଶରେ ବିକ୍ରି କରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଆଜି ଭୁବନେଶ୍ବର ରେଳ ଷ୍ଟେସନରେ ଏହି ତିନି ଜଣ ଟ୍ରେନ୍କୁ ଅପେକ୍ଷା କରି ରହିଥିଲେ। ତିନି ଜଣଯାକ ଗୋଟିଏ ପରିବାରର ଓ ନିୟମିତ ରେଳ ଯାତ୍ରୀ ଭଳି ବେଶ୍ ଆରାମ୍ରେ ବସିଥିଲେ। ୪ଟି ଲଗେଜ୍ ଥିଲା ଓ ଜଣେ ମହିଳା ବାରମ୍ବାର ଉକ୍ତ ଲଗେଜ୍ ଉପରେ ନଜର ବୁଲାଉଥିଲା। ସନ୍ଦେହ କରି ଆର୍ପିଏଫ୍ର ଜଣେ କର୍ମଚାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତେଣୁ ତୁରନ୍ତ ଆର୍ପିଏଫ୍ ଓ ଜିଆର୍ପି ଅଧିକାରୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ଘେରି ଯାଇଥିଲେ। ଲଗେଜ୍ ଯାଞ୍ଚ କରିବା ପରେ ୪ଟି ଯାକ ବ୍ୟାଗ୍ରୁ ୪୧ କେଜି ଗଞ୍ଜେଇ ମିଳିଥିଲା। ପଚରାଉଚରା ପରେ ସେମାନେ ଏହି ଚୋରା ଚାଲାଣର ଚିତ୍ର ପ୍ରଦର୍ଶନ କରିଥିଲେ।
ସେମାନଙ୍କ ବୟାନ ଅନୁସାରେ ଗତ ଦୁଇ ଦିନ ତଳେ ସେମାନେ ଓଡ଼ିଶା ଆସିଥିଲେ। କୋରାପୁଟ ଜୟପୁରରେ ପହଞ୍ଚି ସେଠାରୁ ଗଞ୍ଜେଇ କିଣିଥିଲେ। ସେଠାରୁ ବସ୍ ଯୋଗେ ଫେରି ଗତରାତିରେ ଭୁବନେଶ୍ବର ବରମୁଣ୍ଡାରେ ପହଞ୍ଚିଥିଲେ। ବରମୁଣ୍ଡାରୁ ଭୁବନେଶ୍ବର ରେଳ ଷ୍ଟେସନ ଆସିଥିଲେ ଓ ଦିଲ୍ଲୀ ଯିବା ପାଇଁ ଅପେକ୍ଷା କରିଥିଲେ। ପ୍ରାୟ ପ୍ରତି ମାସରେ ସେମାନେ ଏମିତି ଓଡ଼ିଶା ଆସି ମାଲ୍ ଚାଲାଣ କରନ୍ତି ବୋଲି ମାନିଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇର ଚାହିଦା ଅଧିକ ଥିବା ସେମାନେ କହିଛନ୍ତି। ତେବେ ବଡ଼ କଥା ହେଉଛି ସେମାନେ ଓଡ଼ିଶାର ବହୁ ବଡ଼ ବଡ଼ ଗଞ୍ଜେଇ ମାଫିଆଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ଜଣାପଡ଼ିଛି। ଓଡ଼ିଶାରେ ପହଞ୍ଚିବା ପରେ କୋରାପୁଟ ଓ କନ୍ଧମାଳର ମାଫିଆମାନେ ସେମାନଙ୍କ ଦେଖାଶୁଣା କରନ୍ତି। ଏମିତିକି ଦିଲ୍ଲୀ ଯିବା ପାଇଁ ଟ୍ରେନ୍ରେ ବସିବା ପର୍ଯ୍ୟନ୍ତ ଏହି ମାଫିଆମାନେ ସେମାନଙ୍କୁ ପଛେ ପଛେ ଜଗି ରହିଥାନ୍ତି। ତେବେ ଏଥର ମାଫିଆମାନଙ୍କ ଭିତରେ ଥିବା କନ୍ଦଳ ଏହି ବଙ୍ଗୀୟ ମହିଳାମାନଙ୍କୁ ପୁଲିସ ଜାଲରେ ପକାଇଛି ବୋଲି ଚର୍ଚ୍ଚା ହେଉଛି।