ଭୁବନେଶ୍ବର: ରାତାରାତି ରାଜଧାନୀରୁ ଗାଏବ୍ ହୋଇଯାଉଛନ୍ତି ନାବାଳକ ନାବାଳିକା। ଅନେକ କ୍ଷେତ୍ରରେ ପ୍ରେମଜନିତ ମାମଲା କହି ପୁଲିସ ତଦନ୍ତରେ ଢିଲା ମାରୁଥିବା ବେଳେ ପରିବାରଲୋକ ପୁଅ, ଝିଅକୁ ପାଇବା ଆଶାରେ ସବୁ ଦିନ ଥାନା ଦୁଆରକୁ ଦୌଡ଼ୁଛନ୍ତି। କମିସନରେଟ୍ ପୁଲିସ୍‌ ଦେଇଥିବା ତଥ୍ୟ ଅନୁସାରେ, ଏପ୍ରିଲରେ ରାଜଧାନୀର ବିଭିନ୍ନ ଥାନାରେ ମୋଟ ୪୨ଟି ଅପହରଣ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ପୁଲିସର କିଡ୍‌ନାପିଂ ଆଣ୍ଡ ମ୍ୟାନ୍‌ ମିସିଂ ସେଲ୍‌ ମାତ୍ର ୧୨ଟି ମାମଲାରେ ଉଭୟ ଅପହର୍ତ୍ତା ଓ ଅପହରଣକାରୀଙ୍କୁ ଠାବ କରିଛି। ଖଣ୍ଡଗିରି ଥାନା ଅଞ୍ଚଳରୁ ସର୍ବାଧିକ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଭରତପୁର ଓ ନୂଆପଲ୍ଲୀରେ ୫ଟି ଲେଖାଁଏ ମାମଲା ରୁଜୁ ହୋଇଛି। ପୂର୍ବରୁ ରୁଜୁ ହୋଇଥିବା ଅପହରଣ ମାମଲାକୁ ମିଶାଇ ଏପ୍ରିଲରେ ମୋଟ ୪୨ଟି ଘଟଣାରେ ମୋଟ ୬୫ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଅଧିକାଂଶ ଘଟଣାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସଂପର୍କକୁ କେନ୍ଦ୍ର କରି ପୁଅ-ଝିଅ ଘର ଛାଡ଼ି ପଳାଉଛନ୍ତି। ବାଳୁତ ସମୟରେ ନିଷ୍ପତ୍ତି ନେବାରେ ତ୍ରୁଟି ରହିଥିବାରୁ ଭୁବନେଶ୍ବର ଡିସିପି ପକ୍ଷରୁ ‘ପ୍ରାରମ୍ଭ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରମାଦେବୀ ବିଶ୍ବବିଦ୍ୟାଳୟରେ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପହରଣ ମାମଲାରେ ଅଭିଯୋଗକାରୀଙ୍କୁ ତୁରନ୍ତ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ୦୬୭୪-୨୫୪୫୪୪୫ ଜାରି କରାଯାଇଛି।