ଭୁବନେଶ୍ବର: ବିପୁଳ ପରିମାଣର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) କିରାସିନି ଚୋରାଚାଲାଣ ବେଳେ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍‌। କଟକ ମଙ୍ଗୁଳିର ଏକ ଗ୍ୟାରେଜରୁ ଏସଟିଏଫ୍ ୪୨ ହଜାର ଲିଟର କିରାସିନି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୯ଟି ଟ୍ୟାଙ୍କର୍, ଟାଟା ମ୍ୟାଜିକ୍, କାର୍, ଜେନେରେଟର, ତେଲ କାଢ଼ିବା ଲାଗି ବ୍ୟବହୃତ ପାଇପ୍, ୨୯ ହଜାର ୭ ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ରଞ୍ଜନ କୁମାର ବେହେରା, ନିରାକାର ବେଉରା, ମନୋରଞ୍ଜନ ହେହେରା ଓ ବିଦ୍ୟାଧର ସାମଲ। ମା’ ତାରିଣୀ ଗ୍ୟାରେଜର ମାଲିକ ବୁଲୁ ବେହେରା ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛି। ଚୋରା କାରାବାର ସମ୍ପର୍କରେ ସ୍ଥାନୀୟ ଥାନା ଜାଣି ନ ପାରିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଏସଟିଏଫ୍ ସୂଚନା ଅନୁସାରେ, ପିଡିଏସ୍ କିରାସିନି ଚୋରା ଚାଲାଣ ନେଇ ଖବର ପହଞ୍ଚିବା ପରେ ଗତକାଲି ରାତିରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ କିରାସିନିକୁ ପାଇପ୍ ଯୋଗେ କଢ଼ାଯାଇ ଟ୍ୟାଙ୍କର ଓ ଡ୍ରମରେ ଭର୍ତ୍ତି କରାଯାଉଥିଲା। ଏପରିକି ନୀଳ ରଙ୍ଗର କିରାସିନିକୁ ଧଳା କରିବା ପାଇଁ କେମିକାଲର ବ୍ୟବହାର ମଧ୍ୟ କରାଯାଉଥିଲା। କିଛି କିରାସିନିରେ କେମିକାଲ ମିଶାଇ ଡିଜେଲ୍ ମଧ୍ୟ କରୁଥିଲେ। ଏହାକୁ ଗ୍ୟାରେଜ୍‌ ଭିତରେ ମହଜୁଦ୍ ରଖାଯାଇଥିଲା। ଉପକୂଳ ଜିଲ୍ଲା ସହ ଅନ୍ୟ ଅଞ୍ଚଳକୁ ଚାଲାଣ ପାଇଁ ଯୋଜନା କରାଯାଉଥିବା ସନ୍ଦେହ କରାଯାଉଛି। ଓଡ଼ିଶାରେ ୪୨ ହଜାର ଲିଟର ଡିଜେଲ୍ ଜବତ କରାଯିବା ପ୍ରଥମ ବୋଲି କହିଛି ଏସଟିଏଫ୍। ଏହା ପୂର୍ବରୁ ଏତେ ପରିମାଣର ଡିଜେଲ୍ କେବେ ଜବତ କରାଯାଇ ନାହିଁ। ଗିରଫ ଅଭିଯୁକ୍ତ ଓ ଜବତ କିରାସିନିକୁ ଚୌଦ୍ବାର ଥାନାକୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଚୌଦ୍ବାର ଥାନା ପୁଲିସ୍ ମାମଲା ରୁଜୁ କରିଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଘଟଣା ସଂକ୍ରାନ୍ତରେ ଏସଟିଏଫ୍ ଅଧିକ ଖୋଳତାଡ଼ ଜାରି ରଖିଛି।