ଭୁବନେଶ୍ବର : ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଆଜି ତିନି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସଂଯୁକ୍ତା ମହାନ୍ତି, ଭୁବନେଶ୍ବର ଉତ୍ତରର ସ୍ବାଧୀନ ପ୍ରାର୍ଥୀ ପ୍ରୀତିନନ୍ଦା ରାଉତରାୟ ଏବଂ ଭୁବନେଶ୍ବର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ଆମ୍ବେଦକର ପାର୍ଟି ଅଫ୍‌ ଇଣ୍ଡିଆର ସୁବ୍ରତ ମହାପାତ୍ର। ଏହି ତିନି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିବା‌େବଳେ ଜଟଣୀ, ଭୁବନେଶ୍ବର ଏକାମ୍ର ଏବଂ ଜୟଦେବ ଆସନରେ କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି।

Advertisment

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବା ପରେ ସଂଧ୍ୟାରେ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନରେ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୩ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥିରୁ ଭୁବନେଶ୍ବର ଏକାମ୍ରରେ ୧୪ଜଣ, ଭୁବନେଶ୍ବର ମଧ୍ୟରେ ୧୩ଜଣ, ଭୁବନେଶ୍ବର ଉତ୍ତରରେ ୧୬ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ଜଟଣୀରେ ୭ଜଣ, ଜୟଦେବରେ ୮ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ୧୧ଜଣ ନାମାଙ୍କନ ଦାଖଲ କରିଥିବାବେଳେ ଆମ୍ବେଦକର ପାର୍ଟି ଅଫ୍‌ ଇଣ୍ଡିଆର ସୁବ୍ରତ ମହାପାତ୍ର ଆଜି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହର କରିଛନ୍ତି। କାହିଁକି ସେ ଲଢ଼େଇ ପୂର୍ବରୁ ମଇଦାନ ଛାଡ଼ିଲେ ସେନେଇ ସେ କିଛି କହିନାହାନ୍ତି।

ଏବେ ପ୍ରାର୍ଥିପତ୍ର ଚୂଡ଼ାନ୍ତ‌ ହୋଇଯାଇଥିବାରୁ ପ୍ରଚାର ବି ଜୋରଦାର୍ ହେବାକୁ ଯାଉଛି। କିପରି କେଉଁ ପ୍ରାର୍ଥୀଙ୍କ ଭୋଟ୍‌ କାଟି ନିଜ ପକେଟ୍‌ରେ ପୂରାଇବେ ସେନେଇ ପ୍ରାର୍ଥୀମାନେ ଅଙ୍କ କଷିଲେଣି। ଅପେକ୍ଷା ଏପ୍ରିଲ ୨୩ ଭୋଟ୍‌କୁ।