ଖଣ୍ଡଗିରି : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନରେ କାର୍ଯ୍ୟରତ ଗବେଷଣା ଓ ସମ୍ପ୍ରସାରଣ ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ଚଳିତ ବର୍ଷ ୧୬୨୧ ଟି ତାଲିମ୍ କାର୍ଯ୍ୟକ୍ରମ ଜରିଆରେ ୪୩ ହଜାର କୃଷକ (ବିଭିନ୍ନ ପ୍ରକାର ଫସଲର ଚାଷୀ)ଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ୬ଟି କୃଷି ବିଜ୍ଞାନ କେନ୍ଦ୍ରରୁ ବିଭିନ୍ନ ଡାଲି ଜାତୀୟ ଫସଲ ପାଇଁ ୭୨୫ କ୍ବିଣ୍ଟାଲ ଉନ୍ନତ ବିହନ ଉତ୍ପାଦନ କରାଯାଇପାରିଛି। ବିଭିନ୍ନ ପ୍ରକାର ଫସଲ ପାଇଁ ୩୫ ଶହ କ୍ବିଣ୍ଟାଲରୁ ଅଧିକ ପିଣ୍ଡ ବିହନ ଉତ୍ପାଦନ କରାଯାଇପାରିଛି। ବିଭିନ୍ନ ଫଳ ଓ ପନିପରିବା ଚାଷ ପାଇଁ ଗୁଣାତ୍ମକ ମାନର ପ୍ରାୟ ୩୦ ଲକ୍ଷରୁ ଅଧିକ ଚାରା ଉତ୍ପାଦନ କରାଯାଇଛି। ସେହିଭଳି ଗବେଷଣାରୁ ଲବ୍ଧ ୪ଟି ନୂତନ କିସମ ଫସଲ ଓ ୭ଟି ନୂତନ ପ୍ରଜାତିର ପ୍ରାଣୀ ପାଇଁ ପଞ୍ଜୀକରଣ କରାଯାଇଛି। ଓୟୁଏଟିରେ ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦର ବାର୍ଷିକ ବୈଠକର ଉଦ୍ଘାଟନୀ ଉତ୍ସବରେ ଏହି ସୂଚନା ଦିଆଯାଇଛି। ୨୮ ଜିଲ୍ଲାରେ କାର୍ଯ୍ୟ କରୁଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ର, ୮ଟି ଆଞ୍ଚଳିକ ଗବେଷଣା ପ୍ରତିଷ୍ଠାନ ଓ ୬୨ଟି କୃଷି ପରିସଂସ୍ଥା ଆଦି ସଂସ୍ଥାରୁ ବରିଷ୍ଠ ବୈଜ୍ଞାନିକ ଓ କୃଷି ସମ୍ପ୍ରସାରଣ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ବିଭିନ୍ନ ପ୍ରକାର ଫସଲ ଚାଷ, ଫୁଲ ଓ ପନିପରିବା ଚାଷ, ମତ୍ସ୍ୟ ଓ ପଶୁପାଳନ ଆଦି କାର୍ଯ୍ୟକ୍ରମକୁ ନେଇ ଏହି ବୈଠକରେ ଆଲୋଚନା ହେବ। ଗବେଷଣା ଲବ୍ଧ ଜ୍ଞାନ କୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ କି କି କାର୍ଯ୍ୟସୂଚୀ ଗ୍ରହଣ କରାଯାଇଛି ଓ ଆଗକୁ ଆଉ କି ପଦକ୍ଷେପ ଗ୍ରହଣ କରାଯିବା ଦରକାର, ତାହା ଉପରେ ଆଲୋଚନା କରାଯିବ। ଓୟୁଏଟି କୁଳପତି ଡକ୍ଟର ପୱନ କୁମାର ଅଗ୍ରୱାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଡିନ୍ ପ୍ରଫେସର ପିକେ ରାଉଳ ସ୍ବାଗତ ଭାଷଣ ଦେଇଥିବାବେଳେ ନୋଡାଲ ଅଫିସର ପ୍ରଫେସର ଏଲଏମ୍ ଗଡ଼ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ୨୫ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ।
ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ, ୪୩ ହଜାର କୃଷକଙ୍କୁ ତାଲିମ୍ ମିଳିଛି
/sambad/media/post_attachments/wp-content/uploads/2019/05/m19-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)