ଏକାମ୍ର କ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼, ଆଜିଠୁ ମହାପ୍ରଭୁଙ୍କ ରାଈ ଦାମୋଦର ବେଶ

ପୁରୁଣା ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। କୁମାର ପୂର୍ଣ୍ଣମୀ ପର ଦିନ ଏହି ବ୍ରତ ଆରମ୍ଭ ହେବା ବିଧି ଥିବାରୁ ହବିଷ୍ୟାଳୀମାନେ ଏକାମ୍ର କ୍ଷେତ୍ରରେ ଆସି ପହଞ୍ଚିଲେଣି। ପ୍ରାୟ ୬୦ରୁ ଊର୍ଧ୍ବ ହବିଷ୍ୟାଳୀ ଦୁଦ୍‌ୱାଲା ଧର୍ମଶାଳାରେ ଆସି ରହିଛନ୍ତି। ଆସନ୍ତାକାଲି ସକାଳୁ ଚଉଁରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରବେ। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳୀ ମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା କରିବା ପାଇଁ ପ୍ରସ୍ତୁତି କରୁଥିବା କହିଛନ୍ତି। ସେହିପରି ଆସନ୍ତା କାଲିଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ରାଈ ଦାମୋଦର ବେଶ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ ମନ୍ଦିରରେ ସକାଳ ଧୂପ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ହବିଷ୍ୟାଳୀମାନେ ଭୋର ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରବେ। ଏହାପରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ତୁଳସୀ ପାଣି ପିଇବେ। ଦେହରେ ଓ ମୁଣ୍ଡରେ ଚିତା ତିଲକ ଲଗାଇ ଭାଗବତ ପାଠ କରିବେ। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାଇବେ। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରିବେ। ଏଥିସହିତ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବ ଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ସେବନ କରିବେ ବୋଲି ହବିଷ୍ୟାଳିମାନେ କହିଛନ୍ତି। ଲିଙ୍ଗରାଜ ମନ୍ଦିରରେ କଉଡ଼ି ଖେଳ: ଆଜି ସନ୍ଧ୍ୟା ଧୂପ ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ କାର୍ତ୍ତିକଙ୍କ ପାଖରେ କଉଡ଼ି ଖେଳ ହୋଇଥିଲା। ପୂଜାପଣ୍ଡା ସେବାୟତ ଓ ପତ୍ରୀ ସେବାୟତ ଏହି କଉଡ଼ି ଖେଳିଥିଲେ। ୭ଥର କଉଡ଼ି ଖେଳ ହୋଇଥିଲା।

ସମ୍ବନ୍ଧିତ ଖବର