ବର୍ଷିଲା ବୁଡ଼ାଇଲା, ୧୨ ଘଣ୍ଟାରେ ୪୩ ମିମି

ଭୁବନେଶ୍ବର : ବର୍ଷାରେ ପୁଣି ବୁଡ଼ିଲା ରାଜଧାନୀ। ଗତକାଲିଠାରୁ ଲାଗି ରହିଥିବା ଲଗାଣ ବର୍ଷାରେ ଭୁବନେଶ୍ବରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସମସ୍ତ ଅଞ୍ଚଳ ପାଣିରେ ଉବୁଟୁବୁ ହୋଇଥିବା ବେଳେ ରାତିରେ ପ୍ରମୁଖ ଜାଗାରେ ପାଣି ଜମି ରହିଛି। ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ, ଭିଏସଏସ ନଗର, ବରମୁଣ୍ଡା, ରସୁଲଗଡ଼ ଆଦି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ରାସ୍ତାରେ ଖାଲ ସୃଷ୍ଟି ହୋଇଥିବାରୁ କେତେକ ସ୍ଥାନ‌ରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟିଛି।

ପ୍ରବଳ ବର୍ଷା ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ସହରତଳି ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି। କେତେକ ସ୍ଥାନରେ ବର୍ଷା ପାଣି ପଶିଯିବାରୁ ଲୋକେ ପଦାକୁ ବାହାରିପାରି ନାହାନ୍ତି। ଜୟଦେବ ବିହାରରେ ପୂର୍ବଭଳି ସ୍ଥିତି ଲାଗି ରହିଛି। ସେହିପରି ବାୟାବାବା ଲେନ୍, ଶନିମନ୍ଦିର ବସ୍ତି, ଭୋଇ ନଗର, ଶୁକବିହାର ପ୍ରଭୃତି ଅଞ୍ଚଳରେ ସନ୍ଧ୍ୟାରେ ପାଣି ଜମି ରହିଥିଲା। ବାଣୀବହାରରୁ ଆଚାର୍ଯ୍ୟ ବିହାର ରାସ୍ତା ଉପରେ ୩ଫୁଟ୍‌ର ପାଣି ଲହଡ଼ି ଭାଙ୍ଗୁଛି। ଇସ୍କନ୍, ନୂଆସାହି, ବାଲିତୋଟା ସାହି, ବେହେରା ସାହି, ସାଲିଆ ସାହି, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ରେଣ୍ଟାଲ କଲୋନି, ଶିଶୁ ଭବନ ଛକ, ଗଙ୍ଗନଗର ଛକ, ଡମଣା, ନନ୍ଦନବିହାର, ଶୈଳଶ୍ରୀ ବିହାରର କେତେକ ଅଞ୍ଚଳ ପାଣି ଘେରରେ ରହିଥିଲା‌।

ବମିଖାଲ ଓଭରବ୍ରିଜ୍ ନିକଟ ଏକ୍ସପାନେଡ୍‌ ସମ୍ମୁଖରେ ୫୦୦ ମିଟର ରାସ୍ତାରେ ୩ ଫୁଟର ପାଣି ଜମି ରହିଥିବାରୁ ଲୋକେ ଯିବା ଆସିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ସମୟରେ ତିନି ଜଣ ଲୋକେ ଗାଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି। ଏଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ଏକପ୍ରକାର ଟ୍ରାକ୍‌ ବାହାରକୁ ପଳାଇଛି। ଗୋଟିଏ ପଟେ ରାସ୍ତା ଖରାପ ସାଙ୍ଗକୁ ଅନ୍ୟପଟେ ଜଳବନ୍ଦୀ ଯୋଗୁଁ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପ୍ରବଳ ବର୍ଷା ଯୋଗୁଁ ନିଗମାନନ୍ଦ ନଗର, ଜଗନ୍ନାଥ ନଗର, ଜିଜିପି କଲୋନି, ଅଶୋକ ନଗର, କଟକ ରୋଡ୍‌ରେ ବି ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଦୁଇ ଦିନ ହେଲା ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ବିଏମସିର ପ୍ରସ୍ତୁତି ପୂର୍ବଭଳି ହୋଇନାହିଁ। ଯେଉଁଥିପାଇଁ ଲୋ‌କଙ୍କ ଘରେ ପାଣି ପଶିଛି।

ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୮ଟା ସୁଦ୍ଧା କେବଳ ଭୁବନେଶ୍ବରରେ ୪୩ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ ଗତକାଲିଠାରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ମାତ୍ର ୧୨.୭ ମିମି ବର୍ଷା ହୋଇଥିଲା। ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ୨୨.୨ ମିମି ବର୍ଷା ହୋଇଥିଲା। ତେବେ ସନ୍ଧ୍ୟା ୫ଟା ୩୦ରୁ ରାତି ୮ଟା ୩୦ ମଧ୍ୟରେ ପ୍ରାୟ ୨୨ ମି.ମି ବର୍ଷା ରେକର୍ଡ କରାଯାଇଛି। ରାତି ୮ଟା ୩୦ ପରେ ବି ବର୍ଷା ଲାଗି ରହିଥିବାରୁ ଆହୁରି ୧୨ରୁ ୧୫ମିମି ବର୍ଷା ହୋଇଥିବା ଅନୁମାନ କରାଯାଉଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ କୋହଲା ପାଗ ରହିବ। ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର