ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀଙ୍କୁ ପେନ୍ସନ୍ଭୁକ୍ତ କରିବାକୁ ବହୁଦିନରୁ ଦାବି ହୋଇ ଆସୁଛି। ଖୁବଶୀଘ୍ର ଏ ଉପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ। ଆସନ୍ତା ୩ ତାରିଖରେ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ରହିଛି। ଆଶା, ନିଶ୍ଚିତ କିଛି ଖୁସି ଖବର ଆସିବ ଓ କର୍ମଚାରୀଙ୍କ ମୁହଁରେ ହସ ଫୁଟିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଡିଏର ୪୩ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଚାରୀଙ୍କ ପେନ୍ସନ୍ ଉପରେ ବିଚାର କରିବାକୁ ବିଧାୟକ ଓ ଅତିଥିମାନେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆରମ୍ଭରୁ ବିଡିଏରେ ୮୭୮ କର୍ମଚାରୀ ଥିଲେ। ଏବେ ୪୩୧ଜଣ ଅଛନ୍ତି। ୩୩୭ଜଣ ଅବସର ନେଇ ସାରିଲେଣି ଓ ୧୧୦ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏଣୁ ଉଭୟ କାର୍ଯ୍ୟରେ ଥିବା ଓ ଅବସର ନେଇ ସାରିଥିବା କର୍ମଚାରୀଙ୍କୁ ପେନସନ୍ଭୁକ୍ତ କରିବାକୁ ଦାବି ହୋଇ ଆସୁଛି।
କେ୯ବି ଅଞ୍ଚଳରେ ଖେଳପଡ଼ିଆ ଓ ପାର୍କ ଲୋକାର୍ପିତ
ଆଜି ସକାଳେ ବିଡିଏ ପ୍ରତିଷ୍ଠା ଦିବସ ଅବସରରେ କଳିଙ୍ଗ ବିହାର କେ୯ବି ଅଞ୍ଚଳରେ ଏକ ଖେଳପଡ଼ିଆ ଓ ପାର୍କର ଉଦ୍ଘାଟିତ ହୋଇଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ଡ. କୃ୍ଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଖେଳପଡ଼ିଆ ୨.୩ ଏକର ଓ ପାର୍କ ୧.୩୬ ଏକର ଜାଗାରେ ନିର୍ମିତ ହୋଇଛି। ଉଭୟ ପ୍ରକଳ୍ପ ପାଇଁ ପ୍ରାୟ ୫.୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଅନ୍ୟପଟେ ବିଡିଏ ପ୍ରାୟ ୯୮ କୋଟି ଟଙ୍କାରେ ୨୦ଟି ଖେଳପଡ଼ିଆ ନିର୍ମାଣ କରୁଛି। ୧୯ଟି ଖେଳପଡ଼ିଆର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।
ମିଳିତ ଉଦ୍ୟମରେ ଭୁବନେଶ୍ବରକୁ ୧ ନମ୍ବର କରିବାକୁ ଆହ୍ବାନ
କର୍ମଚାରୀ ଅଭାବକୁ ନେଇ ଚିନ୍ତାପ୍ରକଟ
ଆରମ୍ଭରୁ ଥିଲେ ୮୭୮, ଏବେ ୪୩୧
କର୍ମଚାରୀ ପାଣ୍ଠି(୭୮ କୋଟି) ଓ ଏଲ୍ଆଇସି ଯୋଜନା(୨୪ କୋଟି)କୁ ମିଶାଇ ୧୦୨ କୋଟି ଟଙ୍କାର ପାଣ୍ଠି ରହିଛି। ଏଥିରେ ଅତିରିକ୍ତ ୮୬ କୋଟି ଟଙ୍କା ମିଶିଲେ, କର୍ମଚାରୀମାନେ ପେନ୍ସନ୍ଭୁକ୍ତ ହୋଇପାରିବେ। ଏଣୁ ଏ ଦିଗରେ ବିଚାର କରିବାକୁ ଅତିଥି ଭାବେ ଯୋଗଦେଇ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ ଓ ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍ର ସଭାପତି ସମୀର ମହାନ୍ତି ଅନୁରୋଧ କରିଥିଲେ। ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ କହିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଡ. ମହାପାତ୍ର ପେନ୍ସନ୍ ଉପରେ ଗୁରୁତ୍ବର ସହ ବିଚାର କରାଯାଉଛି ବୋଲି କହିଥିଲେ। ମନ୍ତ୍ରୀ କହିଥିଲେ, ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବାକୁ ମିଳିତ ଉଦ୍ୟମ ଜରୁରୀ। ଆମେ ବିଡିଏ ଅଧିକାରୀ ଓ ଆମେ ବିଏମ୍ସି ଅଧିକାରୀ ନ କହି, ସମନ୍ବୟ ଭିତ୍ତିରେ କିଭଳି ଭୁବନେଶ୍ବର ଦେଶର ୧ ନମ୍ବର ସହର ହୋଇପାରିବ, ସେ ଦିଗରେ ଆଗେଇ ଆସିବାକୁ ପଡ଼ିବ।
ସମ୍ମାନିତ ଅତିଥି ମେୟର ସୁଲୋଚନା ଦାସ କହିଥିଲେ, ଭୁବନେଶ୍ୱରକୁ ସମସ୍ତଙ୍କ ପାଇଁ ଉପଯୋଗ୍ୟ ସହର ଭାବେ ଗଢ଼ିବାରେ ବିଡିଏର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମନ୍ବୟ ଭିତ୍ତିରେ ଭୁବନେଶ୍ବରର ବିକାଶ କାମକୁ ଆଗେଇ ନେବାକୁ ସେ ଆହ୍ବାନ ଦେଇଥିଲେ। ବିଡିଏ ଉପାଧ୍ୟକ୍ଷ ଏନ୍. ତିରୁମାଲା ନାଏକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଅଭାବ ପ୍ରସଙ୍ଗ ଉଠାଇଥିଲେ। ବିଡିଏ ସେକ୍ରେଟାରି ମାନସ ରଂଜନ ପାଢ଼ୀ ମଞ୍ଚାସୀନ ଅତିଥି ଥିଲେ। ଏହି ଅବସରରେ ବିଡିଏ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ବିଡିଏ ଅତିରିକ୍ତ ଆୟୁକ୍ତ ସ୍ନିଗ୍ଧାରାଣୀ ଧଳ ଧନ୍ୟବାଦ ଦେଇଥିଲେ।