ଭୁବନେଶ୍ୱର: ‘ଶତାବ୍ଦୀର କଳାକାର’ର ୪୩ତମ ପ୍ରତିଷ୍ଠା ଦିବସ ଆଜି ଏକାମ୍ରବିହାର ଭିଆଇପି ଏରିଆସ୍ଥିତ ବିଜୁ ନାଟ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇ ଆଜିର ବିଷୟବସ୍ତୁ ‘ଭଲ ନାଟକର ପରିଭାଷା’ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ନାଟକଟିଏ ସଫଳ ହେବା ପାଇଁ ନାଟ୍ୟକାର, ନିର୍ଦ୍ଦେଶକ, କଳାକାର ଏବଂ ଦର୍ଶକଙ୍କ ଭୂମିକା ରହିଛି। ନାଟକରେ ଚରିତ୍ର ଉପଯୋଗୀ ସଂଳାପ ରହିବା ଦରକାର। ଭଲ କାହାଣୀ ଏବଂ ଏହାର ଶେଷ ଦୃଶ୍ୟ ଯଦି ଦର୍ଶକଙ୍କୁ ପ୍ରଭାବ ପକାଇବ ଏବଂ ସେ ବହୁକାଳ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ଚାହିବ, ତେବେ ସେହି ନାଟକ ସଫଳ ନାଟକ ଭାବେ ବିବେଚିତ ହେବ।
ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଯୋଗ ଦେଇ ଭଲ ଓ ମନ୍ଦ ନାଟକ ଭିତରେ ଥିବା ଅନ୍ତରକୁ ବୁଝାଇଥିଲେ। ତାହା ହେଉଛି ଭଲ ନାଟକ, ଯାହା ମନକୁ ମନ୍ଥନ ଓ ରଞ୍ଜନ କରୁଥିବ ଏବଂ ଯେଉଁ ନାଟକ ମନକୁ ରେଖାପାତ କରିପାରିବ ନାହିଁ ତାହା ମନ୍ଦ ନାଟକ। ସେଥିପାଇଁ ପ୍ରତିଟି ନାଟକର ସର୍ଜନା ଭିତରେ ଗୋଟେ ସୃଜନବୋଧର ଭିତ୍ତିଭୂମି ରହିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ସେନାପତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାବ୍ଦୀର କଳାକାରର ସଭାପତି ତଥା ବିଶିଷ୍ଟ କଥାକାର ଗୌରହରି ଦାସ ସଭିପତିତ୍ୱ କରି ‘ଭଲ ନାଟକର ପରିଭାଷା’ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ନାଟକର ବିଚାରକ ହେଲେ ଦର୍ଶକ। ଯଦି ଦର୍ଶକଙ୍କ ମନକୁ ନାଟକର ବିଷୟବସ୍ତୁଟି ଜିଣିପାରୁଛି, ତେବେ ସେହି ନାଟକ ଭଲ ନାଟକ ଏବଂ ତାହା ବେଶି ଦିନ ତିଷ୍ଠି ପାରିବ ବୋଲି ଶ୍ରୀ ଦାସ କହିଥିଲେ। ଶତାବ୍ଦୀର କଳାକାର ପ୍ରତିଷ୍ଠାତା ଧୀରେନ୍ଦ୍ର ନାଥ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ।