ଭୁବନେଶ୍ୱର : ସେପ୍ଟେମ୍ବରରେ ରାଜଧାନୀରେ ସଂକ୍ରମଣ ସହ କରୋନା ମୃତ୍ୟୁ ମଧ୍ୟ ବଢ଼ି ଚାଲିଛି। ଗତ ୨୭ ଦିନରେ ରାଜଧାନୀରେ ୪୪ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ରାଜଧାନୀରେ ଏକାଧିକ କୋଭିଡ୍‌ ହସ୍ପିଟାଲ୍‌ ଥିବା ସତ୍ତ୍ବେ ମୃତ୍ୟୁରେ ନିୟନ୍ତ୍ରଣ ଆସିପାରୁ ନାହିଁ। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ଭୁବନେଶ୍ବରରେ ସଂକ୍ରମଣର ୩ଶହ ଧାରା ଜାରି ରହିଛି। ୩୧୭ ପଜିଟିଭ୍ ମଧ୍ୟରୁ ମାତ୍ର ୬୨ଜଣ ସଙ୍ଗରୋଧରୁ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଶୈଳଶ୍ରୀବିହାର, ଖାରବେଳନଗର, ଭିଏସ୍‌ଏସ୍‌ନଗର, ୟୁନିଟ୍‌-୯, ଗ୍ୟାରେଜ୍ ଛକ, ଗଙ୍ଗନଗର, ପଟିଆ, ଗଜପତିନଗର, ଚନ୍ଦ୍ରଶେଖରପୁର, ବ୍ରହ୍ମେଶ୍ବର ପାଟଣା ଆଦି ଅଞ୍ଚଳରୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତରେ ୟୁନିଟ୍‌-୯ରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଶୈଳଶ୍ରୀବିହାର ଓ ୟୁନିଟ୍‌-୮ରୁ ୧୨ଜଣ ଲେଖ‌ାଏଁ, ସହିଦନଗରରୁ ୧୧, ଚନ୍ଦ୍ରଶେଖରପୁରରୁ ୧୦, ବରମୁଣ୍ଡାରୁ ୯, ପଟିଆ ୮, ବଡ଼ଗଡ଼, ବମିଖାଲ, ଜାଗମରା, ଘାଟିକିଆ, ଗ୍ୟାରେଜ୍ ଛକ, ନୀଳାଦ୍ରିବିହାର, ରେଣ୍ଟାଲ କଲୋନି, ସୈନିକ ସ୍କୁଲ, ସାଲିଆସାହି, ସତ୍ୟବିହାର, ରସୁଲଗଡ଼, ପାତ୍ରପଡ଼ା, ମଞ୍ଚେଶ୍ବର, ନୀଳକଣ୍ଠନଗର ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୫୫‌ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୧୨ଜଣ ସୁସ୍ଥ ହେବା ଫଳରେ ଭୁବନେଶ୍ବରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୭,୧୭୬ରେ ପହଞ୍ଚିଛି। ଏବେ ୩୫୭୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

Advertisment

ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପଜିଟିଭ୍‌
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଗଣ୍ଡିଲୋ ଗ୍ରାମରେ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ‌ଆକ୍ରାନ୍ତଙ୍କ ମଧ୍ୟରେ ୫୫ବର୍ଷୀୟ ଜଣେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଅଛନ୍ତି। ଅନ୍ୟ ଆକ୍ରାନ୍ତ ଯୁବକଙ୍କ ବୟସ ୩୫ବର୍ଷ ମଧ୍ୟରେ। ଗତ ୩ଦିନ ତଳେ ସେମାନେ ସ୍ବାବ୍‌ ପରୀକ୍ଷା କରାଇବାରୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସଂପୃକ୍ତ ଆକ୍ରାନ୍ତମାନେ ଏକ ସପ୍ତାହ ହେବ ଥଣ୍ଡା, କାଶ ଓ ଜ୍ବରରେ ପୀଡ଼ିତ ଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୃହ ସଂଗରୋଧରେ ଥିଲେ ମଧ୍ୟ ସେମାନେ ବାହାରେ ବୁଲୁଥିବା ଅଭିଯୋଗ ହେଉଛି। ସେହିପରି ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ଆକ୍ରାନ୍ତଙ୍କ ଘର ଓ ପଡ଼ୋଶୀ ଘର କାନ୍ଥରେ ଲାଲ ଓ ହଳଦିଆ ଷ୍ଟିକର ଲଗାଇ ଲୋକଙ୍କୁ ସତର୍କ କରାଇବା ନେଇ ପଦକ୍ଷେପ ନେଇ ନାହାନ୍ତି। ସେହିପରି କାକରୁଦ୍ରପୁର ସରପଞ୍ଚ ଗ୍ରାମ ସାନିଟାଇଜ୍‌ କରିବା ଦିଗରେ ବିଡିଓଙ୍କୁ ଅବଗତ କରାଇଥିବା କହିଛନ୍ତି। ହେଲେ ଏଯାଏ ବାଲିଅନ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ବିଶୋଧନ କରିନଥିବା ଅଭିଯୋଗ ହେଉଛି।