ସାରା ଭୁବନେଶ୍ବରରେ କରୋନା: ମାର୍ଚରେ ପ୍ରଥମ, ଜୁଲାଇରେ ୫ଶହ ଛୁଇଁଲା

ଦିନକରେ ରେକର୍ଡ ସଂଖ୍ୟକ ୪୬ଜଣ ପଜିଟିଭ୍

ଭୁବନେଶ୍ବର: କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ, ସାରା ଭୁବନେଶ୍ବରରେ ଛାଇ ଗଲାଣି କରୋନା। ଗତ ୨୪ଘଣ୍ଟାରେ ରାଜଧାନୀରେ କେବଳ ୪୬ଜଣ ପଜିଟିଭ୍ ବାହାରିଥିବା ବେଳେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏମାନଙ୍କୁ ଚିହ୍ନଟ କରାଯାଇଛି। ସଙ୍ଗରୋଧ ହେଉ ବା ସ୍ଥାନୀୟ ସଂକ୍ରମିତ, ରାଜଧାନୀରେ କରୋନା ଧୀରେ ଧୀରେ ବିସ୍ଫୋରଣ ଆଡ଼କୁ ଗତି କରିବାକୁ ଆରମ୍ଭ କରିଛି। ମାର୍ଚ ୧୫ତାରିଖରେ ରାଜ୍ୟ ତଥା ରାଜଧାନୀରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୫ ଦିନରେ ରାଜଧାନୀରେ ଏହି ସଂଖ୍ୟା ୫ଶହ ପାର୍ କରିଛି। ଯଦିଓ ମେ ମାସରେ ରାଜଧାନୀରେ କରୋନା ସଂକ୍ରମଣ କମ୍ ରହିଥିଲା। ହେଲେ ଜୁନ୍ ମାସ ଆରମ୍ଭରୁ ଏହା ପୁନର୍ବାର ବ୍ୟାପିବାକୁ ଆରମ୍ଭ କରିଛି। ରାଜ୍ୟର ୨୫ଟି ଜିଲ୍ଲାରେ କରୋନା ସଂଖ୍ୟା ୫ଶହ ଛୁଇଁ ନ ଥିବା ବେଳେ କେବଳ ରାଜଧାନୀ ଏହା ବଳି ଗଲାଣି। ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ବସ୍ତିରେ କରୋନା ମାଡ଼ି ଚାଲିଛି, ଆଗକୁ ରାଜଧାନୀରେ ମୁମ୍ବାଇର ଧାରାବି ଭଳି ପରିସ୍ଥିତି ସୃଷ୍ଟି କରିବା ଭଳି ଆଶଙ୍କା ସୃଷ୍ଟି କଲାଣି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୨ଜଣ ସଙ୍ଗରୋଧ ଓ ୨୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରେ ଥିବା ବ୍ୟକ୍ତିମାନେ ଆଇଗିଣିଆ, ଚନ୍ଦ୍ରଶେଖରପୁର ପ୍ରଗତି ବିହାର, ପାହାଳ, ଗ୍ୟାରେଜ୍ ଛକ, ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ ଛକ, ରସୁଲଗଡ଼ ସବର ସାହି, ବରମୁଣ୍ଡା ହାଇସ୍କୁଲ ନିକଟ, ନୂଆଗାଁ ବିଜୟ ବିହାର, ଝାରପଡ଼ା ଜଗନ୍ନାଥ ନଗର, ଲକ୍ଷ୍ମୀସାଗର ଉପର ସାହି, ମଣ୍ଡପ ସାହି, ଚିନ୍ତାମଣିଶ୍ବର, ଡୁମୁଡୁମା ଫେଜ୍-୧, ପାତ୍ରପଡ଼ା ଓ ନାକାଗେଟ୍ ଅଞ୍ଚଳର ରହିଥିବା ବିଏମ୍‌ସି ସୂଚନା ଦେଇଛି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ହିଁ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସଂକ୍ରମିତ ଖଣ୍ଡଗିରି, ପାତ୍ରପଡ଼ା ଓ କଳିଙ୍ଗ ନଗର ରହିଛନ୍ତି। ଏହାସହ କ୍ୟାପିଟାଲ ହସ୍ପିଟାଲର ୨ଜଣ ନର୍ସ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ୧୬ଜଣ ଆସିଥିବା ବେଳେ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ଲାଗି କୁହାଯାଇଛି। ଆସନ୍ତା ୫ଦିନ ପରେ ସେମାନଙ୍କ ସ୍ବାବ୍ ସଂଗ୍ରହ ହେବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ସେହିପରି ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ, ୟୁନିଟ-୮ ବାଳକ ଉଚ୍ଚ ବିଦ୍ୟାଳୟ, ନୂଆପଲ୍ଲୀ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟ, ବମିଖାଲ, ପୋଖରୀପୁଟ କେଶରୀ ଭିଲ୍ଲା ଓ ପାତ୍ରପଡ଼ା ଅଞ୍ଚଳରୁ ବାହାରିଛନ୍ତି। ତେବେ କୋଳଥିଆ, ଜୟଦେବ ବିହାର ଦାଶରଥୀ ଆପାର୍ଟମେଣ୍ଟ, କଟକ ରୋଡ୍‌ର ଅଞ୍ଚଳରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ହଟସ୍ପଟ୍ ଜିଲ୍ଲାକୁ ଗସ୍ତ କରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ୨୯୫ଜଣ ସୁସ୍ଥ ଓ ୨୨୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର