୨୪ ଘଣ୍ଟାରେ ୪୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୬୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭରତପୁର ସ୍ଥିତ ଜିଏ କଲୋନିରେ ୩ ଜଣ ଡେଙ୍ଗୁ ରୋଗୀ ଥିବା ଜଣାପଡ଼ିଛି। ତେଣୁ ଏଠାରେ ଯଥାଶୀଘ୍ର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜମି ରହୁଥିବା ପାଣି ନିଷ୍କାସନ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକ ବିଏମସି ନିକଟରେ ଦାବି କରିଛନ୍ତି। ଏହା କେବଳ ସରକାରୀ ତଥ୍ୟ ହୋଇଥିବା ବେଳେ ବେସରକାରୀ ଭାବରେ ସଂଖ୍ୟା ୨ ହଜାର ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ସଚେତନତା ଅଭିଯାନ ସହ ମଶା ଲାର୍ଭା ଓ ଉତ୍ସ ନଷ୍ଟ କରା ଯାଉଛି। ଆଜି ସୁଦ୍ଧା ବିଏମ୍‌ସି ପକ୍ଷରୁ ୬ ହଜାର ୫୦୮ ପରିବାରର ୨୭ ହଜାର ୨୧୭ ଲୋକଙ୍କୁ ସଚେତନ କରା‌ଯାଇଛି। ୧୯ ହଜାର ୬୫ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୧୮ ହଜାର ୩୭୯ ଲାର୍ଭା ଚିହ୍ନଟ ହୋଇଛନ୍ତି।

କରୋନାରେ ଆଉ ୨୬୬ ଆକ୍ରାନ୍ତ
ଭୁବନେଶ୍ବର : ରାଜଧାନୀରେ ବୁଧବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬ ରହିଛି। ମଙ୍ଗଳବାର ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଦିନ ହେବ ଅଢ଼େଇ ହଜାର ଉପରେ ରହୁଛି। ଗତକାଲି ୨୫୯୫ ସକ୍ରିୟ ଅାକ୍ରାନ୍ତ ଥିବା ବେଳେ ଆଜି ଏହା ୨୬୨୪ ରହିଛି। ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁନଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୧୬୪ ରହିଥିବା ବେଳେ ଆଜି ଏହି ସଂଖ୍ୟା ୨୨୬ ରହିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ମୃତ୍ୟୁ ସଂଖ୍ୟା ୨୧ ରହିଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୧୧ ଦର୍ଶାଯାଇଛି। ଆଜି ଚିହ୍ନଟ ହୋଇଥିବା ୨୬୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନୂ୍ଆପଲ୍ଲୀରେ ସର୍ବାଧିକ ୧୪ ଜଣ ରହିଥିବାବେଳେ ପଟିଆରେ ୧୩, କଳିଙ୍ଗବିହାରରେ ୯, ଆଇଆରସି ଭିଲେଜ୍‌, ପୁରୁଣା ଭୁବନେଶ୍ବର ଓ ପାତ୍ରପଡ଼ାରେ ୮ ଜଣ ଲେଖାଏଁ ଏବଂ ବରମୁଣ୍ଡାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର