ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ଆଜି ବୁଲାକୁକୁର ସଂଖ୍ୟା ଘୋଷଣା କରାଯାଇଛି। ୪୭ହଜାର ୧୨୬ଟି ବୁଲାକୁକୁର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଅଛନ୍ତି। ଏଥିରୁ ୨୭ହଜାର ୧୧୫ଟି ଅଣ୍ଡିରା କୁକୁର ଓ ୧୮ହଜାର ୮୮୭ଟି ମାଈ କୁକୁର। ବାକି ୧ହଜାର ୧୨୪ଟି ଛୁଆ କୁକୁର। ବିଏମ୍‌ସି ପକ୍ଷରୁ ହୋଇଥିବା ବୁଲାକୁକୁର ଗଣତିରୁ ଏହି ସଂଖ୍ୟା ସ୍ପଷ୍ଟ ହୋଇଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ତେବେ କୁକୁର ବନ୍ଧ୍ୟାକରଣରେ ବିଏମ୍‌ସି ବହୁ ପଛରେ ପଡ଼ିଛି। ରାଜ୍ୟ ତଥା ରାଜଧାନୀରେ ୧୭ ବର୍ଷ ତଳୁ ଏବିସି(ଆନିମଲ୍ ବାର୍ଥ କଣ୍ଟ୍ରୋଲ୍) କାର୍ଯ୍ୟକ୍ରମ ଜରିଆରେ ବୁଲାକୁକୁର ବନ୍ଧ୍ୟାକରଣ ଆରମ୍ଭ ହେଲାଣି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅନୁଦାନ ବି ପ୍ରଦାନ କରାଯାଉଛି। କିନ୍ତୁ ଅଦ୍ୟାବଧି ୪୭ହଜାର ୧୨୬ ବୁଲାକୁକୁରଙ୍କ ମଧ୍ୟରୁ ମାତ୍ର ୭ହଜାର ୪୦୩ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ବନ୍ଧ୍ୟାକରଣ ହୋଇଥିବା ବୁଲାକୁକୁରଙ୍କ ଭିତରେ ୪ହଜାର ୬୮ଟି ଅଣ୍ଡିରା ଓ ୩ହଜାର ୩୩୫ଟି ମାଈ କୁକୁର ଅଛନ୍ତି। ବାକି ୩୮ହଜାର ୫୯୯ କୁକୁରଙ୍କ ବନ୍ଧ୍ୟାକରଣ ହୋଇନି। ଯେଉଁଥିରେ ୨୩ହଜାର ୪୭ଟି ଅଣ୍ଡିରା କୁକୁର ଓ ୧୫ହଜାର ୫୫୨ଟି ମାଈ କୁକୁର ଅଛନ୍ତି। ତଥ୍ୟ ପ୍ରଘଟ କରି ନଥିଲେ ବି ଆଣ୍ଟିରାବିଜ୍‌ ଟିକା ନେଇଥିବା ବୁଲାକୁକୁର ସଂଖ୍ୟା ବି ବହୁ ନଗଣ୍ୟ ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେୟର ଶ୍ରୀମତୀ ଦାସ କହିଛନ୍ତି, ସଂପ୍ରତି ଭୁବନେଶ୍ୱରର ଜନସଂଖ୍ୟା ପ୍ରାୟ ୧୩ ଲକ୍ଷ। ନିକଟରେ ହୋଇଥିବା ବୁଲାକୁକୁର ଗଣତି ଦେଖିଲେ, ଜନସଂଖ୍ୟା ତୁଳନାରେ ବୁଲାକୁକୁରଙ୍କ ଅନୁପାତ ୩.୬୨ ପ୍ରତିଶତ। ହାରାହାରି ପ୍ରତି ଵାର୍ଡ଼ରେ ବୁଲାକୁକୁର ସଂଖ୍ୟା ୭୦୩। ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩ ଓ ୬, ଏହି ୧୦ ୱାର୍ଡରେ ଅଧିକ ବୁଲାକୁକୁର ଚିହ୍ନଟ ହୋଇଛନ୍ତି। ସର୍ବାଧିକ ୨୩ ନମ୍ବର ୱାର୍ଡରେ ୧୭୦୩ଟି ଓ ୬ ନମ୍ବର ଵାର୍ଡରେ ୧୦୬୨ଟି ବୁଲାକୁକୁର ଚିହ୍ନଟ ହୋଇଛନ୍ତି। 

Advertisment

ଶ୍ରୀମତୀ ଦାସ କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କରାଯାଇଥିବା ୨୦ତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ତଥ୍ୟକୁ ତୁଳନା କଲେ, ବିଏମ୍‌ସି ଅଞ୍ଚଳରେ ବୁଲାକୁକୁର ସଂଖ୍ୟା ଜାତୀୟ ହାରଠାରୁ ବହୁ ଅଧିକ ରହିଛି। ଜାତୀୟ ହାରରେ ପ୍ରତି ୧ହଜାର ଜନସଂଖ୍ୟାରେ ହାରାହାରି ୧୧ଟି ଓ ରାଜ୍ୟରେ ପ୍ରତି ୧ହଜାର ଜନସଂଖ୍ୟାରେ ହାରାହାରି ସଂଖ୍ୟା ୩୯ଟି ବୁଲାକୁକୁର ରହିଛନ୍ତି। କିନ୍ତୁ ଭୁବନେଶ୍ୱରରେ ପ୍ରତି ୧ ହଜାର ଜନସଂଖ୍ୟାରେ ହାରାହାରି ବୁଲାକୁକୁର ସଂଖ୍ୟା ୩୬। ମେୟର କହିଛନ୍ତି, ବୈଷୟିକ ଜ୍ଞାନକୌଶଳ ଓ ପଦ୍ଧତିରେ ଏହି ଗଣନା କରାଯାଇଛି। ପୂର୍ବରୁ ହାତ ଗଣତି କେତୋଟି ରାଜ୍ୟରେ କୁକୁର ଗଣନା କରାଯାଇଥିଲା। ସେମାନେ ନମୁନା ସର୍ବେକ୍ଷଣ ପଦ୍ଧତିରେ ଗଣନା କରିଥିଲେ। ଅର୍ଥାତ୍, ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରେ କୁକୁର ଗଣନା କରି, ଆନୁପାତିକ ହାରରେ ହିସାବ କରିଥିଲେ। କିନ୍ତୁ ଭାରତରେ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବିସ୍ତୃତ ସର୍ବେକ୍ଷେଣ ପଦ୍ଧତିରେ କୁକୁର ଗଣନା କରାଯାଇଛି। ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଓ ଜନସାଧାରଣଙ୍କ ସ୍ୱେଚ୍ଛାକୃତ ସହଯୋଗ ଫଳରେ ଏହି ଗଣନା ସମ୍ଭବପର ହୋଇପାରିଛି। ଜନସାଧାରଣ ନିଜ ଘର କିମ୍ବା ଆଖପାଖ ଆପାର୍ଟମେଣ୍ଟ, ସରକାରୀ ଅନୁଷ୍ଠାନ, ଡାକ୍ତରଖାନା, ରେସିଡେନ୍ସିଆଲ ଜୋନ୍, ବଜାର ଆଦି ଅଞ୍ଚଳରେ ରହୁଥିବା କୁକୁରଙ୍କର ସଂଖ୍ୟା ବିଏମ୍‌ସି କର୍ମଚାରୀଙ୍କୁ ପ୍ରଦାନ କରିଥିବାରୁ ଗଣନା ସହଜ ହୋଇପାରିଥିଲା ବୋଲି ମେୟର କହିଛନ୍ତି।