ଭୁବନେଶ୍ବର: ମୋବାଇଲ୍, ଇଣ୍ଟର୍ନେଟ୍ ଓ ସୋସିଆଲ୍ ମିଡିଆ; ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲେଣି। ଖାଦ୍ୟ ଭଳି ଏହା ଆମ ପାଇଁ ଅତି ଜରୁରି ହୋଇଗଲାଣି। ଏଣୁ ଆମେ ଖାଦ୍ୟରୁ ବିରତି ନେଇ ଉପବାସ କଲା ଭଳି, ମୋବାଇଲ୍ ଓ ଇଣ୍ଟର୍ନେଟ୍ରୁ ବି ବିରତି ନେବାର ଆବଶ୍ୟକତା ରହିଛି। ଏହାକୁ ଏବେ ଆଧୁନିକ ଭାଷାରେ ଇ-ଫାଷ୍ଟିଂ ବା ଇ-ଉପବାସ ବୋଲି କୁହାଯାଉଛି। ସମାଜରେ ସବୁ ବର୍ଗ ଲୋକଙ୍କ ମଧ୍ୟରେ ଇଣ୍ଟରନେଟ୍ ପ୍ରତି ଆସକ୍ତି ବଢ଼ିଚାଲିଛି। ଏଭଳି ଆସକ୍ତି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବା ବେଳେ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବିଶେଷଜ୍ଞମାନେ ମତ ଦେଲେଣି। ଏହାକୁ ଇଂରାଜୀରେ ‘ଇଣ୍ଟରନେଟ୍ ଆଡିକ୍ସନ୍ ଡିଜଅର୍ଡର(ଆଇଏଡି)’ ବୋଲି କୁହାଯାଉଛି। ଯାହାକୁ ଓଡ଼ିଆରେ ‘ଇଣ୍ଟରନେଟ୍ଜନିତ ବିକାର’ ବୋଲି କୁହାଯାଉଛି। ଫଳରେ ଆବାଳବୃଦ୍ଧବନିତା ସମସ୍ତଙ୍କଠାରେ ଏବେ ମାନସିକ ଅବସାଦ, ନିଦ୍ରାହୀନତା, ବିଷଣ୍ଣତା ଏପରିକି ପାନିକ୍ ଆଟାକ୍ ଭଳି ସମସ୍ୟା ଦେଖାଯାଉଛି। ଏହା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସାରା ବିଶ୍ବରେ ସର୍ବେକ୍ଷଣ, ସଚେତନତା ଦେଖିବାକୁ ମିଳୁଛି। ଏଥିସହ ନୂଆ ଏକ ଶବ୍ଦ ବା ସ୍ବାସ୍ଥ୍ୟ ସଚେତନତା ଭାବେ ‘ଇ-ଉପବାସ’ ଏବେ ମୁଣ୍ଡ ଟେକିଛି।
୨୦୨୨ ମସିହାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଜୈନ ସଂପ୍ରଦାୟର ଲୋକେ ଇ-ଉପବାସ ରଖିଥିଲେ। ଏଥିପାଇଁ ସେମାନେ ନିଜ ନିଜର ସ୍ମାର୍ଟଫୋନ୍କୁ ୨୪ ଘଣ୍ଟା ପାଇଁ ଏକ ମନ୍ଦିରରେ ଜମା ଦେଇଥିଲେ। ଏବେ ଧୀରେଧୀରେ ଲୋକେ ଇଣ୍ଟର୍ନେଟ୍ ଆସକ୍ତିର ଖରାପ ଦିଗ ବାବଦରେ ସଚେତନ ହେବା ଦେଖାଗଲାଣି। ତେଣୁ କିଛି ଲୋକ ପ୍ରତିଦିନ କିଛି ସମୟ ଇ-ଉପବାସ କରିବାକୁ ଆଗ୍ରହୀ ମଧ୍ୟ ହେଲେଣି। ୨୦୧୯ରେ ଆମେରିକାରେ ‘ସ୍କ୍ରଲ୍ ଫ୍ରି ଫର୍ ଏ ଇୟର୍’ ନାମରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଭାଗ ନେଇ ଜଣେ ପ୍ରତିଯୋଗୀ ଏକ ବର୍ଷ ଧରି ଇ-ଉପବାସ କରି ଏଥିରେ ବିଜୟୀ ହୋଇଥିଲେ। ଅର୍ଥାତ ଇଣ୍ଟରନେଟ୍ରୁ ନିଜକୁ ଦୂରେଇ ରଖିବାକୁ ବୈଶ୍ବିକ ସ୍ତରରେ ସଚେତନତା ଆରମ୍ଭ ହୋଇଗଲାଣି। ତେବେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଭୁବନେଶ୍ବରରେ ମଧ୍ୟ ଏହି ସମସ୍ୟା ବଢ଼ିଥିବା ବେଳେ ଇ-ଉପବାସ ଏବେ ଅଧିକ ପ୍ରାସଙ୍ଗିକ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଅଛନ୍ତି ବିଶ୍ବର
୪୮୦ କୋଟି ଲୋକ
ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୩% ଲୋକ ଆଜିକା ଦିନରେ ଇଣ୍ଟରନେଟ୍ ସହ ସଂଯୁକ୍ତ। ସେମାନଙ୍କ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ତଥା ୪୮୦ କୋଟି ଲୋକ ସକ୍ରିୟ ସୋସିଆଲ ମିଡିଆ ବ୍ୟବହାରକାରୀ ଅଟନ୍ତି। ଏହା ଯୁବପିଢ଼ିଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ତେବେ ଡିଜିଟାଲ୍ କ୍ଷେତ୍ରରେ ଏହି ଯୁବପିଢ଼ିଙ୍କ ଏହି ସହଜ ଉପସ୍ଥିତି ସେମାନଙ୍କ ମଧ୍ୟରେ ନକାରାତ୍ମକ ଅନୁଭୂତିକୁ ଜନ୍ମ ଦେଉଛି। କାରଣ ଏକାଧିକ ଅଧ୍ୟୟନରୁ ଜଣାପଡ଼ିଛି ସାମାଜିକ ଗଣମାଧ୍ୟମର ବ୍ୟାପକ ବ୍ୟବହାର ଅବସାଦର ଗୁରୁତ୍ବପୂର୍ଣ୍ଣ କାରଣ ଅଟେ। ତଥ୍ୟ ଅନୁଯାୟୀ, ୯ରୁ ୧୭ ବର୍ଷ ବୟସର ୧୦ ଜଣ ଯୁବକଙ୍କ ମଧ୍ୟରୁ ୬ ଜଣ ସୋସିଆଲ ମିଡିଆ କିମ୍ବା ଗେମିଂ ପ୍ଲାଟଫର୍ମରେ ଦୈନିକ ୩ ଘଣ୍ଟାରୁ ଅଧିକ ସମୟ ବିତାଉଛନ୍ତି। ବିଶେଷ କରି ୯-୧୮ ବର୍ଷ ବୟସ କିଶୋର ଓ ଯୁବପିଢ଼ି ଗ୍ୟାଜେଟ୍ ପ୍ରତି ଅତ୍ୟଧିକ ଆକର୍ଷିତ ହେଉଥିବା ଗବେଷଣାରୁ ଜଣାପଡ଼ିଛି। କାରଣ ସେମାନେ ଅଧିକ ସମୟ ଇଣ୍ଟରନେଟ୍ରେ ଭିଡିଓ ଦେଖିବା, ଗେମ୍ ଖେଳିବା ଓ କଥାବର୍ତ୍ତା କରିବା ଆଦିରେ ବିତାଉଛନ୍ତି। ଫଳରେ ସେମାନଙ୍କ ସ୍କ୍ରିନ୍ ଟାଇମ୍ ବଢ଼ୁଛି ଏବଂ ଏହା ସେମାନଙ୍କଠାରେ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରୁଛି। କଅଁଳ ବୟସରେ ସେମାନଙ୍କ ମଧ୍ୟରେ ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ଚିନ୍ତା ଆଦି ସମସ୍ୟା ସୃଷ୍ଟି ହେଉଛି। ଯାହାକି ଭବିଷ୍ୟକରେ ଆତ୍ମହତ୍ୟା ପ୍ରବଣତା ବଢ଼ାଇବା ସହ, ଅବସାଦ ଓ ଅଙ୍ଗ୍ଜାଇଟି ଆଦି ବଢ଼ାଉଛି।
ମଦ ହେଉ ବା ମୋବାଇଲ୍, ନିଶା ସବୁବେଳେ ହାନିକାରକ
ନିଶା; ମଦ ହେଉ ବା ମୋବାଇଲ୍ର, ଏହା ସବୁବେଳେ ଖରାପ। ଏହା ଶରୀର ପାଇଁ ହାନିକାରକ। ଏବେର ସମୟରେ ପାଠପଢ଼ାଠାରୁ ଆରମ୍ଭ କରି ଅଫିସ୍ କାମ, ସପିଂ, ଖାଇବା ଅର୍ଡର, ସାଙ୍ଗମାନଙ୍କ ସହ କଥାବାର୍ତ୍ତା, ଖେଳ ସବୁ କଥା ଏବେ ଇଣ୍ଟର୍ନେଟ୍ରେ ହେଉଛି। ଫଳରେ ସବୁ ବର୍ଗର ଲୋକ ଏବେ ଇଣ୍ଟର୍ନେଟ୍ ନିଶାରେ ପଡ଼ିଛନ୍ତି। ଏଥିଯୋଗୁ ମାନସିକ ଅବସାଦ, ଅଙ୍ଗ୍ଜାଇଟି ସହ ମୋଟାପଣ, ହାଇପର୍ଟେନ୍ସନ୍, ରକ୍ତଚାପ ଓ ମଧୁମେହ ରୋଗ ଆଦି ବଢ଼ିବାରେ ଲାଗିଛି। ଏବେକା ସମୟରେ ଇଣ୍ଟରନେଟ୍ରୁ ସମ୍ପୂର୍ଣ୍ଣ ଦୂରେଇ ଯିବା ସମ୍ଭବ ହୋଇନଥିବା ବେଳେ ଆମକୁ ଆବଶ୍ୟକତା ଅନୁସାରେ ଇଣ୍ଟର୍ନେଟ୍ ବ୍ୟବହାର କରିବା ଉଚିତ। ଆବଶ୍ୟକୀୟ କାମ ଛଡ଼ା ବାକି ସମୟରେ ମୋବାଇଲ୍ରୁ ଦୂରେଇ ପ୍ରିୟଲୋକଙ୍କ ସହ ସମୟ ବିତାଇବା, ବହି ପଢ଼ିବା, ବାହାରେ ଖେଳକୁଦ କରିବା, ଭ୍ରମଣରେ ଯିବାରେ ବିତାଇବା ଉଚିତ। କାମ ନଥିଲେ ନିଜ ସ୍କ୍ରିନ୍ ଟାଇମ୍କୁ ୧ରୁ ୨ ଘଣ୍ଟା ମଧ୍ୟରେ ରଖିବା ଉଚିତ।
ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର, ମାନସିକ ରୋଗ ବିଶେଷଜ୍ଞ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/fgdgjdgjgj-2025-11-25-02-28-42.jpg)