୪୮ ଘଣ୍ଟା ବିତିଲା, କ୍ୟାପିଟାଲ ହସ୍ପିଟାଲ ସ୍ବାଭାବିକ ହୋଇପାରିଲାନି

ଏକ୍ସ-ରେ, ଇସିଜି ଓ ସିଟି-ସ୍କାନ୍ ଅଚଳ, ପାଣି, ବିଜୁଳି ‌ଏବେ ବି ରୋଗୀଙ୍କ ପାଇଁ ସ୍ବପ୍ନ

ଭୁବନେଶ୍ବର: ବାତ୍ୟା ‘ଫନି’ ମାଡ଼ ହେବାର ୪୮ଘଣ୍ଟା ବିତିଲାଣି, ହେଲେ ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଫେରି ପାରିନି କ୍ୟାପିଟାଲ ହସ୍ପିଟାଲ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ପାଣି ଓ ବିଜୁଳି ଏବେ ବି ସ୍ବପ୍ନ ହୋଇ ରହିଛି। ୮ଟି ଜେନେ‌ରେଟର ଲାଗିଥିଲେ ହେଁ, ତାହ ହସ୍ପିଟାଲ ପାଇଁ ଯଥେଷ୍ଟ ହୋଇନାହିଁ। ଏକ୍ସ-ରେ, ଇସିଜି ଓ ସିଟି-ସ୍କାନ୍ ଅଚଳ ହୋଇଯାଇଛି। ଜରୁରୀ ପରିସ୍ଥିତିରେ ଆସୁଥିବା ରୋଗୀମାନଙ୍କୁ ବାଧ୍ୟହୋଇ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ପରୀକ୍ଷା କରିବାକୁ ପଡ଼ୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ୨୪ଘଣ୍ଟା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ସ୍ବାଭାବିକ କରିବା ପାଇଁ ନିର୍ଦେଶ ଦିଆଯାଇଛି। ହେଲେ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା ସ୍ବାଭାବିକ ହେବା ପାଇଁ ଆହୁରି କିଛିଦିନ ସମୟ ଲାଗିବ ବୋଲି ଜଳ ଜଳ ଦେଖାଯାଉଛି।

‘ଫନି’ ଆସିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଯେପରି କୌଣସି ପ୍ରକାର ସମସ୍ୟା ହେବ ନାହିଁ ସେଥିଲାଗି ଘନ ଘନ ବୈଠକ ଡକାଯାଇଥିଲା। ଏପରିକି ବିଦ୍ୟୁତ୍‌ ସରାବରାହ ନିୟମିତ ରଖିବା ଲାଗି ହସ୍ପିଟାଲର ନିଜସ୍ବ ଜେନେରେଟର ବାଦ୍ ଅନ୍ୟ ସ୍ଥାନରୁ ଜେନେରେଟର ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦୈନିକ ୧୦୦ଲିଟରରୁ ଅଧିକ ଡିଜେଲ ଏଥିପାଇଁ ଖର୍ଚ ହେବ ବୋଲି ହସ୍ପିଟାଲ କର୍ତୃପକ୍ଷ ଆକଳନ କରିଥିଲେ। ପୂର୍ବରୁ ଆକଳନ ଅନୁସାରେ ଡିଜେଲ ଆସିଥିବା ବେଳେ ଗତକାଲି ଆହୁରି ୧ହଜାର ଲିଟରରୁ ଅଧିକ ଡିଜେଲ ଯୋଗାଇ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ବାହାରୁ ଜେନେରେଟର ଆସିବା ସହିତ ‌ଡିଜେଲ ବନ୍ଦୋବସ୍ତ କରାଯାଇଥିଲେ ହେଁ ହସ୍ପିଟାଲରେ ଏହାର ସୁଫଳ ମିଳିନାହିଁ। ଜରୁରିକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ କୌଣସି ସୁବିଧା ମିଳୁନାହିଁ। ସେମାନଙ୍କୁ ଅନ୍ୟତ୍ର ରେଫର କରୁଛନ୍ତି ଡାକ୍ତର। ନିୟମିତ ବ୍ୟବଧାନରେ ରେଫରାଲ ଜାରି ରହିଛି।

ବାତ୍ୟାରେ ହସ୍ପିଟାଲର ନିଜସ୍ବ ପାଣି ଟାଙ୍କିଗୁଡ଼ିକ ଛିନଛତ୍ର ହୋଇଯାଇଛି। ଏହିସବୁ ପାଣିଟାଙ୍କି ଗୁଡ଼ିକରୁ ହସ୍ପିଟାଲ ପରିସରରେ ଥିବା ଆକ୍ବାଗାର୍ଡକୁ ସଂଯୋଗ ହୋଇଥିବା ବେଳେ ହାତ ଗଣତି ଗୋଟିଏ/ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ପାଣି ଆସୁନାହିଁ। ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ପାଣି କେଉଁଠି ମିଳୁଛି ପଚାରି ପଚାରି ହାଲିଆ। ସେହିପରି ବିଜୁଳି ହସ୍ପିଟାଲରେ ଏକ ପ୍ରମୁଖ ସମସ୍ୟା ହୋଇଛି। କେବଳ ଆଇସିୟୁ, କାଜୁଆଲ୍‌ଟି ଓ ହସ୍ପିଟାଲ ବାରଣ୍ଡାରେ ଲାଇଟ୍ ଜଳୁଛି। ବହୁ ୱାର୍ଡରେ ଲାଇଟ୍ ନ ଥିବାରୁ ରୋଗୀମାନଙ୍କୁ ଅନ୍ଧାରରେ ରହିବାକୁ ପଡ଼ୁଛି। ହସ୍ପିଟାଲର କାଜୁଆଲ୍‌ଟିରେ ଥିବା ଲ୍ୟାଣ୍ଡଲାଇନ୍ ନମ୍ବର ଅଚଳ ହୋଇଯାଇଛି। ଅପରପକ୍ଷରେ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ହସ୍ପିଟାଲର ଶିଶୁ ୱାର୍ଡ ସମ୍ମୁଖରେ କୁଢ଼ କୁଢ଼ ଅଳିଆ ଗଦା ହୋଇଥିବା ବେଳେ ସଫା ହୋଇପାରି ନାହିଁ। ଏପରିକି ହସ୍ପିଟାଲ ପରିସରରେ ମଧ୍ୟ ଅଳିଆ ଗଦା ହୋଇଥିବା ବେଳେ ଠିକ୍‌ରେ ସଫେଇ ହୋଇନାହିଁ।

ଏସ୍‌ଏନ୍‌ସିୟୁରେ ସିଲିଂ ଖସିବା ଘଟଣା: ଗୁରୁତର ଶିଶୁଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର
ବାତ୍ୟା ଦିନ ଏସ୍‌ଏନ୍‌ସିୟୁ ପରିସରରେ ସିଲିଂ ଭୁଶୁଡ଼ିବା ପରେ ଶିଶୁମାନଙ୍କୁ ହସ୍ପିଟାଲର ‘ପିକୁ’କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଜଧାନୀର ୩ଟି ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାସହ କିଛି ଶିଶୁଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏସ୍‌ଏନ୍‌ସିୟୁରେ ସିଲିଂ ଭୁଶୁଡ଼ିବା ସମୟରେ ସେଠାରେ ଉପସ୍ଥିତ ଥିବା ଷ୍ଟାଫନର୍ସ ଓ ଡାକ୍ତର ଉପସ୍ଥିତ ବୁଦ୍ଧି ଖଟାଇ ଶିଶୁମାନଙ୍କୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲେ। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମାତ୍ର କିଛି ଘରୋଇ ଡାକ୍ତରଖାନା ସେମାନଙ୍କ ଏସ୍‌ଏନ୍‌ସିୟୁକୁ କ୍ୟାପିଟାଲ ହସ୍ପିଟାଲର ଶିଶୁମାନଙ୍କୁ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏହାକୁ ନେଇ ଘରୋଇ ହସ୍ପିଟାଲ କର୍ତୃପକ୍ଷଙ୍କ ସହିତ କ୍ୟାପିଟାଲ ହସ୍ପିଟାଲ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଶେଷରେ ଜଗନ୍ନାଥ ସେବା ସଦନ, ଆପୋଲୋ ଓ ଆମ୍ରି ହସ୍ପିଟାଲକୁ ୧୨ରୁ ଅଧିକ ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଆଜି ସକାଳେ ମଧ୍ୟ ୧/୨ଜଣ ଶିଶୁଙ୍କୁ ଏସ୍‌ସିବି ରେଫର ‌କରାଯାଇଛି। ଅପରପକ୍ଷରେ ହସ୍ପିଟାଲର ଏସ୍‌ଏନ୍‌ଏସିୟୁ ଏ ପର୍ଯ୍ୟନ୍ତ ଠିକ୍ ହୋଇ ନ ଥିବାରୁ ଡାକ୍ତର ମଧ୍ୟ ଗୁରୁତର ଅବସ୍ଥାରେ ଆସୁଥିବା ଶିଶୁମାନଙ୍କୁ ଆଡମିଟ୍‌ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯେଉଁ ଶିଶୁମାନଙ୍କ ଅବସ୍ଥା ସାମାନ୍ୟ ଭଲ ରହିଛି ସେମାନଙ୍କୁ ଷ୍ଟେପ୍ ଡାଉନ୍ ୟୁନିଟ୍‌ରେ ଆଡମିଟ୍ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର