ଚନ୍ଦ୍ରଶେଖରପୁର: ପୁରୁଷ ବନ୍ଧୁଙ୍କ ସମେତ ୪ଜଣ ଯୁବକଙ୍କ ଦ୍ୱାରା ବାରମ୍ବାର ଦୁର୍ବ୍ୟବହାରର ଶିକାର ହୋଇ ଶୈଳଶ୍ରୀ ବିହାରରେ ରହୁଥିବା ଜଣେ ନାବାଳିକା ଗତକାଲି ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ଆତ୍ମହତ୍ୟା ପୂର୍ବରୁ ଛାତ୍ରୀଜଣଙ୍କ ସୁଇସାଇଡ୍ ନୋଟ୍ରେ ୪ଜଣ ଅଭିଯୁକ୍ତଙ୍କ ନାମ ଲେଖିଥିଲେ। ତାଙ୍କ ଆତ୍ମହତ୍ୟା ପଛରେ ଏମାନେ ଦାୟୀ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଚୁପ୍ ହୋଇ ବସି ପଡ଼ିଛି ବୋଲି ଛାତ୍ରୀଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପୁଲିସ ଯୁକ୍ତି ବାଢ଼ୁଛି ଯେ ଆତ୍ମହତ୍ୟା ପାଇଁ ଛାତ୍ରୀଜଣଙ୍କ ଦାୟୀ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କିଛି ତଥ୍ୟ ହସ୍ତଗତ ହୋଇନାହିଁ। ଏନେଇ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନା ଅନୁଯାୟୀ, ପୁରୁଷ ବନ୍ଧୁଙ୍କ ସମେତ ୪ଜଣ ଯୁବକ ଛାତ୍ରୀଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିବା ସହ କୌଣସି ଏକ ଘଟଣାକୁ ନେଇ ବ୍ଲାକ୍ମେଲିଂ କରୁଥିଲେ। ଏନେଇ ଛାତ୍ରୀଜଣଙ୍କ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲେ ଏବଂ ସେମାନଙ୍କଠାରୁ ଦୂରେଇ ରହିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ କଲେଜ ନିକଟକୁ ଯାଇ ତାଙ୍କ ପିଛା କରି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ମୃତ ଛାତ୍ରୀଙ୍କ କିଛି ସାଙ୍ଗ କହିଛନ୍ତି। ଛାତ୍ରୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ୨ଟି କଲେଜ ଆଗରେ ଅସାମାଜିକ ଅଣଛାତ୍ରଙ୍କ ଖଟି ଜମୁଥିଲେ ମଧ୍ୟ ପିସିଆର୍ ସେମାନଙ୍କୁ ବାରଣ କରୁନାହିଁ। ଫଳରେ ପୂର୍ବରୁ ଶୈଳଶ୍ରୀବିହାର ଛକରେ ଜଣେ ଛାତ୍ରୀଙ୍କୁ ଏସିଡ୍ ମାଡ଼ ହୋଇଥିଲା। ସେହିଭଳି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳେ କିଛି ଛାତ୍ରୀ ମିଶି ରୋଡ୍ ରୋମିଓ ଜଣଙ୍କୁ କଲେଜ୍ ଫାଟକ ନିକଟରେ ନିସ୍ତୁକ ମାଡ଼ ମାରିଥିଲେ। ଏମିତି ଅନେକ ଆପରାଧିକ ଘଟଣା ଘଟୁଥିଲେ ମଧ୍ୟ ପିସିଆର୍ ଭ୍ୟାନ୍ ସତେ ଯେମିତି ଆଖି ବୁଜି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।