ଓୟୁଜେର ୪୮ତମ ପ୍ରତିଷ୍ଠା ଦିବସ : ‘ନିଚ୍ଛକ ତଥ୍ୟ ପରିବେଷଣ କର’

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିଲାଗି ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମଧ୍ୟରେ ଏକ ମିଳିତ ବୈଠକର ଆବଶ୍ୟକତା ଅଛି ବୋଲି ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ୪୮ତମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ଇଡକଲ୍‌ ଅଡିଟୋରିୟମରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ, ସାମ୍ବାଦିକମାନଙ୍କ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ଖୁବ୍‌ଶୀଘ୍ର ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ସମ୍ମାନିତ ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ପ୍ରକୃତ ତଥ୍ୟକୁ ବିକୃତ ନ କରି ନିଚ୍ଛକ ଭାବେ ଖବର ପରିବେଷଣ କରିବା ପାଇଁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ସଂପ୍ରତି ସାମ୍ବାଦିକତା କ୍ଷେତ୍ରରେ ନକଲିଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାରୁ ଏହା ଉପରେ ଅଙ୍କୁଶ ଲାଗିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଥିଲେ।

ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ବୀମା ରାଶିକୁ ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସାମ୍ବାଦିକ ପେନ୍‌ସନ୍ ଯୋଜନା ଲାଗୁ କରିବା ଓ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ଏହି ଅବସରରେ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଭୟ ମନ୍ତ୍ରୀଙ୍କୁ ୫ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାମ୍ବାଦିକ ନିମାଇଁ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ସାମ୍ବାଦିକ ୟୁନିଅନ ସମ୍ମାନ’ ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ବିଭୂତି ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହଳଧର ଧୀର୍‌ ଓ ଶିଶିର କୁମାର ଦାସ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଓୟୁଜେ ସାଧାରଣ ସଂପାଦକ ଅଶୋକ ନନ୍ଦ ବିବରଣୀ ପାଠ କରିଥିବା ବେଳେ ଉପସଭାପତି କିଷାନ୍ କୁମାର ରାଉତ, ଉପନ ସାହୁ, ସମ୍ପାଦକ ଇଙ୍ଗିତ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷିତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର