ଭୁବନେଶ୍ୱରରୁ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସ୍‌ର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ରାଜଧାନୀ ଭୁବନେଶ୍ୱରରୁ ସାଢ଼େ ୪ କିଲୋ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ସହରର ଗୋପାଳଗଂଜ ଅଂଚଳର ଏସ୍‌କେ କୌଶର ଅଲ୍ଲୀ ଓ ପ୍ରବୀର କୁମାର ସିଂହ ଓରଫ ସିତୁ।

ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି, ଏସ୍‌ଟିଏଫ ଦ୍ୱାରା ୪ କିଲୋ ୪୮୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି ଘଟଣାରେ ରସୁଲଗଡ଼ ଅଞ୍ଚଳରୁ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏତେ ପରିମାଣରେ ବ୍ରାଉନ୍‌ସୁଗାର ଏକକାଳୀନ ଜବତ ହେବା ନୂଆଁ ଘଟଣା। ଚଳିତ ବର୍ଷ ବିଭିନ୍ନ ସମୟରେ ୧୨.୨୫ କିଲୋ ବ୍ରାଉନ୍‌ ସୁଗାର ଜବତ ହୋଇସାରିଛି। ଧଳା ଜହର କାରବାର ସହିତ ଜଡ଼ିତ ୧୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୯ ଜଣ ଗିରଫ ହୋଇଛନ୍ତି।

ତେବେ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାଲେଶ୍ୱର ଅଂଚଳରୁ ବ୍ରାଉନସୁଗାର ଯୋଗାଣ ହେଉଥିବା କୁହାଯାଉଛି। ଦୁଇ ତିନ ବର୍ଷ ପୂର୍ବରୁ କେବଳ ଲକ୍ଷ୍ମୀସାଗର ଅଂଚଳରେ ଏହି ଧଳା ଜହର ବ୍ୟବସାୟ ଚାଲୁଥିବା ବେଳେ ଏବେ କିନ୍ତୁ ରାଜଧାନୀର ଗଳି କନ୍ଦିରେ ମଧ୍ୟ ଏହା ମିଳୁଥିବା ଅଭିଯୋଗ ହେଉଛି। କୁହାଯାଉଛି ଯେ, ଫୋନ୍‌ କଲେ ବି ଠିକଣାସ୍ଥାନରେ ବ୍ରାଉନସୁଗାର ମିଳିଯାଉଛି। ଏସ୍‌ଟିଏଫ ବିଭିନ୍ନ ସମୟରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରୁଥିଲେ ମଧ୍ୟ ଏହି ବ୍ୟବସାୟ ବନ୍ଦ ହେଉ ନାହିଁ।

ସମ୍ବନ୍ଧିତ ଖବର