୬ ମେଡାଲ୍ ପାଇଲେ ବାଲିଅନ୍ତା ପୁଅ ଡାକ୍ତର ଅନିଲ୍ ଦାସ
ଭୁବନେଶ୍ବର: ଏମ୍ସର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଶ୍ରେଷ୍ଠ ସ୍ନାତକ ସହିତ ଏକକାଳୀନ ୬ ବିଭାଗର ମେଡାଲ୍ ପାଇଛନ୍ତି ଓଡ଼ିଆ ଡାକ୍ତର ତଥା ବାଲିଅନ୍ତା ଇଚ୍ଛାଦେଇ ଗାଁର ପୁଅ ଡା. ଅନିଲ ଦାସ। ପାଥୋଲୋଜିରେ ୧, ଫାର୍ମାକଲୋଜିରେ ୨, ଫୋରେନ୍ସିକ୍ ମେଡିସିନ ଓ ଜେନେରାଲ ମେଡିସିନ୍ରେ ଗୋଟିଏ ଲେଖାଏଁ ପଦକ ପାଇଛନ୍ତି। ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ବରରେ ଜେନେରାଲ ମେଡିସିନ୍ ବିଭାଗରେ ସ୍ନାତକୋତ୍ତର ପଢୁଛନ୍ତି। ୨୦୨୧ ଜାନୁଆରିରେ ସେ ଏଠାରେ ଯୋଗଦାନ କରିଥିଲେ। ପ୍ରଥମ ବର୍ଷରୁ ହିଁ ସେ କୋଭିଡ୍ ମହାମାରୀର ମୁକାବିଲା କରିବା ସହିତ ଦୈନିକ ୮ରୁ ୧୨ ଘଣ୍ଟା ଧରି ରୋଗୀଙ୍କ ସେବା କରୁଥିବା କହିଛନ୍ତି। ସେହିଭଳି ଓଡ଼ିଆ ଡାକ୍ତର ପ୍ରୀତମ୍ ପାଣିଗ୍ରାହୀ ଏକକାଳୀନ ୩ଟି ମେଡାଲ୍ ପାଇଛନ୍ତି।
ପୁଅ ଖୁସିରେ ସାମିଲ ହେବା ପାଇଁ ରାଜସ୍ଥାନରୁ ଆସିଛନ୍ତି ମା’, ବାପା
ରାଜସ୍ଥାନ ଭରତପୁର ଜିଲ୍ଲାର ରୂପ୍ ସିଂ ଓ ଇନ୍ଦ୍ରାବତୀଙ୍କ ପୁଅ କେବଲ୍ ସିଂ ଏବଂ ରାଜସ୍ଥାନ ସୌନ୍ତଲିଆ ଗାଁର ଶିକ୍ଷକ କହ୍ନେୟାଲାଲ୍ଙ୍କ ପୁଅ ପ୍ରୀତମ କୁମାର। ଉଭୟ ଏମ୍ସ ଭୁବନେଶ୍ବରରେ ନର୍ସିଂର ସ୍ନାତକୋତ୍ତର ଶେଷ କରିଛନ୍ତି। ନର୍ସିଂ ସ୍ନାତକୋତ୍ତର ଅଙ୍କୋଲୋଜିରେ ସର୍ବଭାରତୀୟସ୍ତରରେ ମାତ୍ର ୪ଟି ସିଟ୍ ରହିଥିଲା। କିନ୍ତୁ ଛୋଟ ଗାଁରୁ ଆସିଥିବା ପ୍ରୀତମ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ। ୧୦ ବର୍ଷ ପୂର୍ବରୁ ମା’ଙ୍କ ଦେହାନ୍ତ ହୋଇସାରିଛି। ବାପାଙ୍କ ଯତ୍ନ ତାଙ୍କ ପାଇଁ ସଫଳତାର ମାର୍ଗ ହୋଇଛି ବୋଲି ସେ କହିଛନ୍ତି। କେବଲ୍ ସିଂଙ୍କ ବାପା ଡାକ ବିଭାଗର ଓଭର୍ସିଅର ଅଛନ୍ତି।