ଭୁବନେଶ୍ବର: ପାଠକକୁ କବିତା ମାଧ୍ୟମରେ ସାରା ପୃଥିବୀ ବୁଲାଇବାର ସାମର୍ଥ୍ୟ ଜଣେ କବି ପାଖରେ ଅଛି। କବି ସବୁବେଳେ ନିଜ ସୃଷ୍ଟିକୁ ଭିନ୍ନ ଓ ଅନନ୍ୟ କରିବାକୁ ଚେଷ୍ଟା କରେ। କବିତ୍ବ ଭାବନା ସବୁବେଳେ ଉନ୍ନତ ଓ ଚିତ୍ତାକର୍ଷକ। ବର୍ତ୍ତମାନ ସମୟରେ ସମସ୍ତେ ଆଧୁନିକ କବି। ଆଧୁନିକ ଉପାଦାନକୁ ସେମାନେ ନିଜ କବିତାରେ ସ୍ଥାନିତ କରି ସରସ ସୁନ୍ଦର କରିପାରୁଛନ୍ତି। ଏ ଦୌଡ଼ରେ ଓଡ଼ିଶାର କବିମାନେ ବି ବହୁ ଆଗରେ ଅଛନ୍ତି। ‘ଅକ୍ଷର’ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାର ସାହିତ୍ୟ ଆଲୋଚନା ‘ଆଧୁନିକ କବିତାରେ ଜୀବନର ସ୍ବର ଓ ସ୍ବାକ୍ଷର’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗୁଜରାଟୀ ସାହିତ୍ୟିକ ପ୍ରଫେସର୍ ସୀତାଂଶୁ ୟଶଚନ୍ଦ୍ର ଆଜି ଏହା କହିଛନ୍ତି।
ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ ଆହୁରି କହିଲେ ଯେ ଓଡ଼ିଶାର କବିଙ୍କୁ ମୁଁ ପଢ଼ିଛି। ରାଧାନାଥ ରାୟ ଜଣେ ପ୍ରତିଭାସମ୍ପନ୍ନ କବି। ସେ ଚିଲିକାକୁ ନେଇ ଲେଖିଥିବା କବିତାକୁ ଆବେଗର ସହ ଆବୃତ୍ତି କରିଥିଲେ। ସଭାପତିତ୍ବରେ ବକ୍ତବ୍ୟରେ ଶ୍ରୀ ମଲ୍ଲିକ କହିଲେ, ସାହିତ୍ୟ ଆଦୌ ଆଧୁନିକ ନୁହେଁ। ଯାହା ବିଗତ ୨୫ବର୍ଷ ଧରି ଲେଖାଯାଉଛି, ତାହାକୁ ଆମେ ସାମ୍ପ୍ରତିକ ସାହିତ୍ୟ ବୋଲି କହିବା। ଆଉ ସେହି ସମୟରେ ପ୍ରବାହମାନ ଉଦ୍ବେଗ ହେଉଛି କବିତା।
ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପନିର୍ଦ୍ଦେଶିକା ଶୁଚୀସ୍ମିତା ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଉପସ୍ଥାପକ ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଫେସର୍ ଅରୁଣ ସାହୁଙ୍କ କବିତା ପୁସ୍ତକ ‘ନିଃଶବ୍ଦ ବଂଶୀସ୍ବନ’ ଓ ଭାନୁମତୀ ସାହୁଙ୍କ ଉପନ୍ୟାସ ‘ଚକ୍ରବ୍ୟୂହ’ ଓ ଗଳ୍ପ ସଂକଳନ ‘ଅଦୃଶ୍ୟ ଆଖି’ ଉନ୍ମୋଚିତ ହୋଇଥିଲା।