ଭୁବନେଶ୍ବର: କୋରାପୁଟ ଏବେ ସଂସ୍କୃତି ଓ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପାଲଟିଛି। ପ୍ରସିଦ୍ଧ ଲେଖକ ଗୋପୀନାଥ ମହାନ୍ତି ନିଜର ଉପନ୍ୟାସ ମାଧ୍ୟମରେ କୋରାପୁଟର ଗାଥାକୁ ବିଶ୍ବସ୍ତରରେ ପହଞ୍ଚାଇଥିଲେ। ଏଠାକାର ପ୍ରାକୃତିକ ପରିବେଶ ଓ ଆଦିବାସୀ ଜନଜାତି ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିବାରେ ବେଶ୍‌ ସହାୟକ ହୋଇଛି। ଓଡ଼ିଶା ସରକାର କୋରାପୁଟ୍‌କୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରାଧାନ୍ୟ ଦେବା ପାଇଁ ଆଗଭର। ଏବର୍ଷ କେରାପୁଟ୍‌ରେ ଇକୋ ରିଟ୍ରିଟ୍‌ ମାଧ୍ୟମରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରୁଛନ୍ତି।

Advertisment

ଅନ୍ୟପଟେ କୋରାପୁଟ ସାହିତ୍ୟ ଉତ୍ସବ ଲେଖକ, ବୁଦ୍ଧିଜୀବୀ ଓ କଳାକାରଙ୍କୁ ଏକାଠି କରିବାର ଏକ ଅଭିନବ ଉପକ୍ରମ। ‘୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି। କୋଭିଡ୍‌ କଟକଣା ଭିତରେ ଏଥର ‘କୋରାପୁଟ ସାହିତ୍ୟ ଉତ୍ସବ’ କୋରାପୁଟ ପରିବର୍ତ୍ତେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଆ ମିଡିଆ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ସଂଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଉପାନ୍ତକୁ ଏବେ କେନ୍ଦ୍ରରେ ସ୍ଥାପିତ କରିବାର ସମୟ ଆସିଛି। ବିକାଶର କେନ୍ଦ୍ରବିନ୍ଦୁ ଉପାନ୍ତ ହେଲେ ଯାଇ ସମାଜରେ ସମତୁଲତା ପ୍ରତିଷ୍ଠା ହୋଇପାରିବ। ସାହିତ୍ୟରେ ଉପାନ୍ତକୁ ଗୁରୁତ୍ବ ଦେବାର ବେଳ ଆସିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ରାଜ୍ୟ ସୂଚନା କମିସନର୍‌ ଜଗଦାନନ୍ଦ କହିଲେ, ଆଦିବାସୀଙ୍କ ଭରସା ଜିତିବା ଲାଗି ମୁଖ୍ୟସ୍ରୋତରେ ଲୋକଙ୍କର ଅଭାବ ରହିଛି।

କୋରାପୁଟ ଭ୍ରମଣର ଅନୁଭୂତି ବଖାଣି ସେ କହିଥିଲେ ଯେ ସରକାର ନାନାବିଧ ବିକାଶ ଉଦ୍ୟମ କରୁଥିଲେ ହେଁ ପ୍ରାପକ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମ୍ପର୍କର ଅଭାବ ହେତୁ କେତେକ କ୍ଷେତ୍ରରେ ତାହା ଫଳପ୍ରଦ ହେଉନାହିଁ ବୋଲି ସେ କହିଥିଲେ।

ସଂଧ୍ୟାରେ ଉଦ୍‌ଯାପନୀ ଓ ସମ୍ମାନ ସମାରୋହକୁ ଉଦ୍‌ବୋଧନ ଦେଇଥିଲେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ। ରାଜ୍ୟପାଳ ନିଜର ଅଭିଭାଷଣରେ କହିଲେ, ବ୍ୟକ୍ତିଗତ ଚେତନାକୁ ଜାତୀୟ ଚେତନାରେ ଓ ଜାତୀୟ ଚେତନାକୁ ବ୍ରହ୍ମାଣ୍ଡ ଚେତନାରେ ରୂପାନ୍ତରିତ କରୁଥିବା କଳାଟି ହେଉଛି ଅସଲ ସାହିତ୍ୟ। ପ୍ରତ୍ୟେକ ପୁଷ୍ପର ବିବିଧ ସୁଗନ୍ଧ ପରି ଓ ସଂଗୀତର ବିବିଧ ସ୍ବର ପରି ସାହିତ୍ୟରେ ବିବିଧତାର ସମ୍ମିଳିତ ଲକ୍ଷ୍ୟ ମୋକ୍ଷ ଅଟେ। ଭଗବତ ଗୀତାର ଦୃଷ୍ଟାନ୍ତ ଦେଇ ସେ କହିଥିଲେ, ସମସ୍ତଙ୍କ ହିତସାଧନ ହେଉଛି ସାହିତ୍ୟର ଉଦ୍ଦେଶ୍ୟ। ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଯୋଡ଼ିଥାଏ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ତେଲୁଗୁ କବି ନିଖିଳେଶ୍ବର। ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ଟିମ୍‌ ଆଡମାର୍କ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର।

ଏ ଅବସରରେ ବିଶିଷ୍ଟ କଥାଶିଳ୍ପୀ ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର ଓ କବି ହୃଷୀକେଶ ମଲ୍ଲିକଙ୍କୁ ଯଥାକ୍ରମେ କାହାଣୀ ଓ କବିତା ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କୋରାପୁଟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ ଉଭୟଙ୍କୁ ୨୧ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ସହ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଉତ୍ସବର ଅଧ୍ୟକ୍ଷ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଦିବସବ୍ୟାସୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହୃଷୀକେଶ ମଲ୍ଲିକ, ବିଜେପି ନେତା ଗୋଲକ ମହାପାତ୍ର, ବିଜେଡି ନେତା ଗୌତମବୁଦ୍ଧ ଦାସ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତି, ସରୋଜିନୀ ସାହୁ, ଅରବିନ୍ଦ ରାୟ, ନନ୍ଦିତା ମହାନ୍ତି ଓ ସ୍ବାଗତିକା ସ୍ବାଇଁଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏହି ଅବସରରେ ଯୁବକବିମାନଙ୍କୁ ନେଇ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।