ପେନ୍‌-ଇନ୍‌ ବୁକ୍ସ ପକ୍ଷରୁ ୪ର୍ଥ ଯୁବ ଲେଖକ ପୁରସ୍କାର, ନଭେମ୍ବର ୩୦ ସୁଦ୍ଧା ପାଣ୍ଡୁଲିପି ପଠାଇବାକୁ ଆହ୍ବାନ

ଭୁବନେଶ୍ବର : ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ୨୦୨୦ ମସିହା ପାଇଁ ବାର୍ଷିକ ‘ଯୁବ ଲେଖକ ପୁରସ୍କାର’ ପ୍ରଦାନ କରାଯିବ। ଏଥି ନିମନ୍ତେ ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ବାନ କରାଯାଇଛି। ସଂସ୍ଥାର ନିର୍ଦ୍ଦେଶକ ତଥା ଲେଖକ ଶୁଭ୍ରାଂଶୁ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୪୦ ବର୍ଷ ବୟସ ଭିତରେ ଯେ କୌଣସି ଭାରତୀୟ ଲେଖକ ସେମାନଙ୍କ ସୃଜନଶୀଳ ଲେଖା ଅଥବା ଗବେଷଣାତ୍ମକ ଲେଖା ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର-୨୦୨୦ ପାଇଁ ଆବେଦନ କରିପାରିବେ। କେବଳ ଓଡ଼ିଆ, ଇଂରାଜୀ ବା ହିନ୍ଦୀ ଭାଷାର ପାଣ୍ଡୁଲିପି ଗ୍ରହଣ କରାଯିବ।

ଆବେଦନ ପ୍ରକ୍ରିୟା ବାବଦରେ ଅଧିକ ଜାଣିବା ପାଇଁ ଆଗ୍ରହୀ ଯୁବଲେଖକ www.peninbooks.com ୱେବ୍‌ସାଇଟ୍‌ ଦେଖିପାରିବେ। ୨୦୧୭ ମସିହା ଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ପ୍ରଥମ ବର୍ଷ କେବଳ ଓଡ଼ିଆ ପାଣ୍ଡୁଲିପି ଗ୍ରହଣ କରାଯାଇଥିବା ବେଳେ ୨୦୧୮ ମସିହାଠାରୁ ହିନ୍ଦୀ ଓ ଇଂରାଜୀ ଭାଷାର ପାଣ୍ଡୁଲିପି ମଧ୍ୟ ଆହ୍ବାନ କରାଯାଉଛି। ଚଳିତ ବର୍ଷର ପୁରସ୍କାର ପାଇଁ ୩୦ ନଭେମ୍ବର ୨୦୨୦ ଭିତରେ ଲେଖକଙ୍କୁ ପାଣ୍ଡୁଲିପି ପଠାଇବାକୁ ହେବ। ଏକ ବିଚାରକ ମଣ୍ଡଳୀ ଦ୍ବାରା ମୂଲ୍ୟାୟନ କରାଯିବ ଓ ତାହା ମଧ୍ୟରୁ ୧୦ଟି ଶ୍ରେଷ୍ଠ ପାଣ୍ଡୁଲିପି ଚୟନ କରାଯିବ। ଏହି ୧୦ଟି ପାଣ୍ଡୁଲିପିକୁ ପୁସ୍ତକ ଆକାରରେ ପ୍ରକାଶ କରିବା ସହ ଏହାର ଲେଖକମାନଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ। ଯୁବ ଓ ପ୍ରତିଭାସମ୍ପନ୍ନ ଲେଖକମାନଙ୍କୁ ବିଶାଳ ପାଠକୀୟ ପୃଥିବୀ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ପୁରସ୍କାର ଦିଆଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର