୫.୧୫% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି

ଭୁବନେଶ୍ୱର : ରାଜଧାନୀରେ ଏବେ ବି ଗୋଷ୍ଠୀ ସଂକ୍ରମଣ ହୋଇନି। କରୋନା ସଂକ୍ରମଣ ହାର ଏଠାରେ କମ୍‌ ରହିଛି। ମାତ୍ର ୫.୧୫% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମାତ୍ର ୫.୧୫% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବା ହୋଇଥିବା ରିପୋର୍ଟ ଆସିଛି। ଏହି ହିସାବକୁ ନେଲେ ପ୍ରାୟ ୧୦ଲକ୍ଷ ଲୋକ ରହୁଥିବା ଭୁବନେଶ୍ବରରେ ୫୧୫୦୦ଜଣ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ଅର୍ଥାତ୍‌ ଏହି ଲୋକମାନେ କରୋନାରୁ ସୁସ୍ଥ ହୋଇଯାଇଛନ୍ତି। କିନ୍ତୁ ସେମାନେ କୌଣସି ଚିକିତ୍ସା କରିନାହାନ୍ତି।

ବିଏମ୍‌ସି ଓ ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ‌ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଆସିଛି। ଅଗଷ୍ଟ ୨୮ ଓ ୨୯ ଦୁଇଦିନ ଧରି ହୋଇଥିବା ଏହି ସର୍ଭେରେ ୬୩୫ଜଣ ସାଧାରଣ ଲୋକଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିରୁ ୫.୧୫% ଅର୍ଥାତ୍‌ ୩୫ଜଣଙ୍କର ସେରୋ ପଜିଟିଭ୍‌ ଆସିଥିଲା। ଏହାକୁ ଆଧାର କରି ପୂରା ଭୁବନେଶ୍ବରର ହିସାବକୁ ନେଲେ ପ୍ରାୟ ୫୧୫୦୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କୁହାଯିବ। ଏହାଠାରୁ ଅଧିକ ‌ହୋଇପାରନ୍ତି କି କମ୍‌ ବି ହୋଇପାରନ୍ତି। କିନ୍ତୁ ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟେମ୍ବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାରୁ ଆଗାମୀ ଦିନରେ ଏହି ସେରୋ ସର୍ଭେ ରିପୋର୍ଟରେ ପଜିଟିଭ୍‌ ହାର ଅଧିକ ହେବ।

ସେହିପରି ଏବେ ବହୁ ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ, ହସ୍ପିଟାଲ କର୍ମଚାରୀ, ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେରୋଲୋଜିକାଲ୍‌ ସର୍ଭେର ଦ୍ବିତୀୟ ପର୍ଯ୍ୟାୟ ଏହି ଅତିସମ୍ବେଦନଶୀଳ ବର୍ଗର କର୍ମଚାରୀଙ୍କର ନମୁନା ପରୀକ୍ଷା ହୋଇଥିଲା। ଯେଉଁମାନେ କରୋନା ସମୟରେ ଆଗଧାଡ଼ିରେ ରହି କାମ କରୁଛନ୍ତି, ପ୍ରକୃତରେ ସେମାନଙ୍କ ମଧ୍ୟରୁ କେତେଜଣ କରୋନା ଆକ୍ରାନ୍ତ ହେଲେଣି, ତାହା ଦ୍ବିତୀୟପର୍ଯ୍ୟା‌ୟ ସର୍ଭେର ଦ୍ବିତୀୟ ରାଉଣ୍ଡ ରିପୋର୍ଟରେ ଆସିବ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଭିନ୍ନ ଯୋଜନା ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେର ପ୍ରଥମ ପର୍ଯ୍ୟାୟ ସର୍ଭେରୁ ରାଜଧାନୀରେ ୧.୪୨% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର