ଚାକିରି ଦେବା ନାଁରେ ଲୁଟିନେଲେ ୫.୨ଲକ୍ଷ

କନସଲଟାନ୍ସି ଖୋଲି ଠକିଥିବା ଯୁବକ ଫେରାର
ପୂର୍ବରୁ ଅନୁଗୁଳ ପୁଲିସ ହାତରେ ଧରାପଡ଼ିଛନ୍ତି ବଙ୍ଗୀୟ ଦମ୍ପତି

ଭୁବନେଶ୍ବର: ପୁଅର ଚାକିରି କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କୁ ୫ଲକ୍ଷ ୨୦ହଜାର ଟଙ୍କାର ଚୂନ ମାରିଛନ୍ତି ଠକ। ଠକେଇର ଶିକାର ହୋଇଥିବା କବିର ଚରଣ ସେଠୀ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, କବିର ତାଙ୍କ ବି.ଟେକ୍‌ ପଢ଼ୁଆ ପୁଅର ଚାକିରି ପାଇଁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ହେମନ୍ତ କୁମାର ମିଶ୍ରଙ୍କ କନସଲଟାନ୍ସି ସହ ୨୦୧୭ ମସିହାରେ ଯୋଗାଯୋଗ କରିଥିଲେ। ୬ମାସ ଭିତରେ ଏକ ଭଲ ସଂସ୍ଥାରେ ଚାକିରି କରାଇଦେବ ବୋଲି ହେମନ୍ତ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ସେ ଆଗୁଆ ଚେକ୍ ମାଧ୍ୟମରେ ୭୦ ହଜାର ଟଙ୍କା ନେଇଥିଲା।

ପରେ ଜାମସେଦପୁରରେ ତାଲିମ୍‌ ପାଇଁ ଚୈତାଳୀ ମୁଖାର୍ଜୀଙ୍କୁ ଭେଟିବାକୁ ପଡ଼ିବ ବୋଲି କହି ବିଭିନ୍ନ ପର୍ଯ୍ୟାୟରେ ୩ଲକ୍ଷ ୮୦ ହଜାର ଟଙ୍କା ନେଇଥିଲା। ଚୈତାଳୀ ଓ ତା’ ସ୍ବାମୀ ମୃଗାଙ୍କ ଗୁପ୍ତା ଅନୁଗୁଳରେ ପୁଲିସ ହାତରେ ଧରାପଡ଼ିବା ଖବର ଜଣାପଡ଼ିବା ପରେ କବିର ପୁଣି ହେମନ୍ତ ସହ ଯୋଗାଯୋଗ କରିଥିଲେ।

ହେମନ୍ତ କିନ୍ତୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଚାକିରି ନ ହେଲେ ଟଙ୍କା ଫେରାଇଦେବ। ତେବେ ଚୈତାଳୀ ଗତ ୨୦୨୧ ଫେବ୍ରୁଆରିରେ କବିରଙ୍କୁ ଫୋନ୍‌ କରି ପୁଅକୁ ଜାମସେଦପୁର ଡକାଇଥିଲା। ସାଙ୍ଗରେ ୭୦ ହଜାର ଟଙ୍କା ଆଣିବାକୁ କହିଥିଲା। ଟଙ୍କା ଦେଲେ ନିଯୁକ୍ତିପତ୍ର ମିଳିବ। କବିରଙ୍କ ପୁଅ ଜାମସେଦପୁରରେ ପହଞ୍ଚିବା ପରେ ଏଜେଣ୍ଟ ଶାନ୍ତନୁ ବାରିକକୁ ଟଙ୍କା ଦେଇଥିଲା। ଟଙ୍କା ଦେବାର ଦିନେ କିମ୍ବା ଦୁଇଦିନ ଭିତରେ ନିଯୁକ୍ତିପତ୍ର ମିଳିଯିବ ବୋଲି ତାଙ୍କୁ କୁହାଯାଇଥିଲା। କିନ୍ତୁ ନା ନିଯୁକ୍ତିପତ୍ର ମିଳିଥିଲା ନା ଟଙ୍କା। ଠକମାନଙ୍କ ଫୋନ୍‌ ମଧ୍ୟ ବନ୍ଦ ହୋଇଯାଇଛି।

ରେଳବାଇ ଚାକିରି ନାଁରେ ୧୩.୫ ଲକ୍ଷ ଚଳୁ
ଫେରସ୍ତ ମାଗିବାରୁ ପାଲଟା ଧମକ

ଭୁବନେଶ୍ବର: ରେଳବାଇରେ ଚାକିରି କରାଇ ଦେବାକୁ କହି ୧୩ ଲକ୍ଷ ୫୦ ହଜାର ଟଙ୍କା ନେଲା। କିନ୍ତୁ ଚାକିରି କରାଇଲା ନାହିଁ। ଏବେ ଟଙ୍କା ଫେରସ୍ତ ମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେଉଛି। ଆଜି ଏମିତି ଏକ ଅଭିଯୋଗ ହୋଇଛି ସହିଦନଗର ଥାନ‌ାରେ। ଠକେଇର ଶିକାର ହୋଇଥିବା ଯୁବକ ହେଲେ ବଲାଙ୍ଗୀର ବେଲପଡ଼ା ଅଞ୍ଚଳର ବୀରେନ୍ଦ୍ର କୁମାର ସିଂ।

ଅଭିଯୋଗ ଅନୁସାରେ, ବୀରେନ୍ଦ୍ର ବାଣୀବିହାର ଅଞ୍ଚଳରେ ସାଙ୍ଗସାଥୀଙ୍କ ସହ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଏହା ୨୦୧୯ ମସିହାର ଘଟଣା। ସେତେବେଳେ ଯାଜପୁର ଜିଲ୍ଲା ବିଂଝାପୁରର ଜଣେ ସାଙ୍ଗଙ୍କ ଜରିଆରେ ସେ କୋଲକାତାର ମହମ୍ମଦ ଆକ୍ରମ୍‌ଙ୍କ ସହ ପରିଚିତ ହୋଇଥିଲେ।

ଆକ୍ରମ୍‌ ତାଙ୍କୁ ରେଳବାଇରେ ଚାକିରି କରାଇଦେବ ବୋଲି କହିଥିଲା ଓ ଏଥିପାଇଁ କିଛି ଟଙ୍କା ଦରକାର ହେବ ବୋଲି କହିଥିଲା। ତେଣୁ ୨୦୨୦ରୁ ୨୦୨୧ ଭିତରେ ବୀରେନ୍ଦ୍ର ବିଭିନ୍ନ ସମୟରେ ଫୋନ୍ ପେ’ ଓ ଗୁଗୁଲ୍‌ ପେ’ ମାଧ୍ୟମରେ ମୋଟ ୧୩ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଠକ ଆକ୍ରମ୍‌ ଆଉ ଧରାଛୁଆଁ ଦେଇନଥିଲା। ବାରମ୍ବାର ବିଭିନ୍ନ ବାହାନା କରି କେବଳ ମିଛ କହି ଚାଲିଥିଲା। ଠକେଇର ଶିକାର ହୋଇଛନ୍ତି ବୋଲି ବୁଝିବା ପରେ ବୀରେନ୍ଦ୍ର ତାକୁ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ଟଙ୍କା ଫେରସ୍ତ ପାଇଁ ବୀରେନ୍ଦ୍ର କୋଲକାତା ଯାଇଥିବା ବେଳେ ଆକ୍ରମ୍‌ ତାଙ୍କୁ ହତ୍ୟା ଧମକ ଦେଇ ଫେରାଇ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର