ଭୁବନେଶ୍ୱର: ଅସରାଏ ବଡ଼ ବର୍ଷା ହେଲେ ଆଚାର୍ଯ୍ୟ ବିହାର ଜଳବନ୍ଦୀ ହୋଇଯାଉଛି। ଏପରିକି ରାଜଧାନୀର ଏହି ପ୍ରମୁଖ ଅଞ୍ଚଳର ସମସ୍ୟା ସମାଧାନ ନେଇ ଦୀର୍ଘ ବର୍ଷ ହେଲା ଉଦ୍ୟମ ଆରମ୍ଭ ହୋଇଥିଲେ ବି ଏହାର ସମାଧାନ ହୋଇପାରୁନଥିଲା। ଆଚାର୍ଯ୍ୟ ବିହାର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍‌ ୪ରେ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଏହି ଅଞ୍ଚଳରେ ବର୍ଷା ଦିନେ ୪ରୁ ୫ଫୁଟ ଉଚ୍ଚରେ ପାଣି ଜମା ହେଉଥିଲା। ଏହାର ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ଦିଆଯାଇଥିବା ଟେଣ୍ଡର୍‌ ପ୍ରସ୍ତାବକୁ ଆଜି ବିଭାଗ ଅନୁମୋଦନ କରିଛି। ମୁଖ୍ୟ ଡ୍ରେନ୍‌ ୪ରେ ବକ୍ସ ସେଲ୍‌ ଡ୍ରେନ୍‌ ନିର୍ମାଣ ପାଇଁ ୫.୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଚଳିତ ସପ୍ତାହ ସୁଦ୍ଧା ଏହି ଡ୍ରେନ୍‌ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ। ଏହାକୁ ଆସନ୍ତା ୬ମାସ ମଧ୍ୟରେ ନିର୍ମାଣ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ଆସନ୍ତା ବର୍ଷା ଋତୁ ବେଳକୁ ଆଚାର୍ଯ୍ୟ ବିହାର ବାସିନ୍ଦା ଆଉ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଚାର୍ଯ୍ୟ ବିହାରରେ ବର୍ଷା ଜଳ ନିଷ୍କାସନ ସମସ୍ୟା ଥିବାରୁ ଦୁଇ ବର୍ଷ ତଳେ କଟକ ଡ୍ରେନେଜ୍‌ ଡିଭିଜନ୍‌ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ୫୭୦ମିଟରର ଡ୍ରେନ୍‌ ନିର୍ମାଣ ହୋଇଛି। କିନ୍ତୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍‌ କାର୍ଯ୍ୟ ବିଏମ୍‌ସି ଅଧୀନକୁ ଆସିବା ପରେ ପରବର୍ତ୍ତୀ କାମ ହୋଇପାରିନଥିଲା। ଏନେଇ ବିଏମ୍‌ସି ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ପଠାଇଥିଲା। ଆଜି ନଗର ଉନ୍ନୟନ ବିଭାଗ ଏହାକୁ ଅନୁମୋଦନ କରିଛି।

Advertisment

ସୂଚନାଯୋଗ୍ୟ ଯେ, ଆଚାର୍ଯ୍ୟ ବିହାରର ସମସ୍ୟା ସମାଧାନ ପାଇଁ ମୁଖ୍ୟ ଡ୍ରେନ୍‌ ୪କୁ ବକ୍ସ ଡ୍ରେନ୍‌ରେ ପରିଣତ କରିବାକୁ ୨୦୧୪ରେ ନିଷ୍ପତ୍ତି ହୋଇଥିଲା। ଏହାପରେ ବଡ଼ ଧରଣର ଉଚ୍ଛେଦ ପ୍ରକ୍ରିୟା ପରେ କାମ ଆରମ୍ଭ ହୋଇଥିଲା। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରୁ ଟିଟିଡି କଲ୍ୟାଣ ମଣ୍ଡପ ପଛ ପାର୍ଶ୍ୱ ଦେଇ ଏହି ବକ୍ସ ଡ୍ରେନ୍‌ ନିର୍ମାଣ କରାଯାଉଛି।