ଖଣ୍ଡଗିରି: ପହିଲି ରଜ, ତା’ ପୁଣି ଶୁକ୍ରବାର। ଉପରକୁ ମେଘୁଆପାଗ। ଆମିଷପ୍ରିୟଙ୍କ ପାଇଁ ତେଣୁ ସୃଷ୍ଟି ହୋଇଥିଲା ଅପୂର୍ବ ସଂଯୋଗ। ଆଜି ପହିଲି ରଜରେ ଆମିଷ ପାଇଁ ଦୋକାନରେ ସକାଳୁ ଗହଳି ଆରମ୍ଭ ହୋଇ ଦିନ ୮ରୁ ୧୦ ଭିତରେ ପ୍ରବଳ ଗହଳି ଦେଖା ଯାଇଥିଲା। ରାଜଧାନୀରେ ଆଜି ଦିନକରେ ଅଢ଼େଇ କୋଟି ଟଙ୍କାର ମଟନ୍ ବିକ୍ରି ହୋଇଥିବା କୁହାଯାଉଛି। ଅନେକ ସ୍ଥାନରେ ଖାସିମାଂସ କିଲୋ ୮୦୦ ଟଙ୍କାକୁ ଟପି ଯାଇଥିଲା। ଲୋକେ ସେଥିରେ ବି ଅରାଜି ନଥିବା ଦେଖିବାକୁ ମିଳିଥିଲା। ବ୍ୟବସାୟୀମାନେ ରଜ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରି ଉଦଳା, ସୋର, ବାରିକପୁର, ଗଣିହା, ଯଶିପୁର, ମୟୂରଭଞ୍ଜ, ଦଶପଲ୍ଲା, ନୟ‌ାଗଡ଼, ଖୋର୍ଦ୍ଧ‌ା, ଏପରିକି କୋଲକାତାରୁ ଖାସି ଅଧିକ ସଂଖ୍ୟାରେ ଖାସି ଆଣି ରଖିଥିଲେ ବି ଅନେକ ଗ୍ରାହକ ହତାଶ ହୋଇଥିଲେ।

Advertisment

ପହିଲି ରଜ-ଶୁକ୍ରବାର-ମେଘୁଆପାଗ

ସେହିପରି ବ୍ରଏଲର୍‌ କୁକୁଡ଼ା କେଜି ୨୪୦ରୁ ୧୫୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ କଲର୍‌ ବାର୍ଡ ୨୫୦ ଓ ଦେଶୀ ୬୫୦ ଟଙ୍କାରେ ବିକ୍ରି ହୋଇଥିଲା। ଆଜି ଭୁବନେଶ୍ବରିଆ ଦେଢ଼କୋଟିର ଚିକେନ୍ ଖାଇଛନ୍ତି। ସେହିପରି ମାଛ ପ୍ରାୟ କୋଟିଏ ଟଙ୍କାର ବିକ୍ରି ହୋଇଥିବା ଜଣା ପଡ଼ିଛି। ‌ରୋହି ‌କେଜି ୧୬୦ ରୁ ୨୦୦ ଟଙ୍କା ଥିବାବେଳେ, ଭାକୁର ୨୪୦ରୁ ୨୬୦, ଜଳଙ୍ଗା, ମିରକାଳି ୨୦୦, ଚିଙ୍ଗୁଡ଼ି ସାଇଜ୍‌ ଅନୁସାରେ ୨୦୦ ରୁ ୪୦୦, କଙ୍କଡ଼ା ସାଇଜ୍‌ ଅନୁସାରେ ୩୫୦ରୁ ୧୨୦୦, ପୋହଳା ୨୦୦, ମହୁରାଳି ୨୦୦ ଟଙ୍କାରେ ବିକ୍ରି ହୋଇଥିଲା। ପହିଲି ରଜରେ ରାଜଧାନୀରେ ପ୍ରାୟ ୫ କୋଟି ଟଙ୍କାର ଆମିଷ ବ୍ୟବସାୟ ହୋଇଛି ବୋଲି ଅଲ୍ ଓଡ଼ିଶା ନନ୍‌ଭେଜ୍ ‌ଟ୍ରେଡର୍ସ ଫେଡେରେସନର ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ ସୂଚନା ଦେଇଛନ୍ତି। ୟୁନିଟ୍-୪ ମାର୍କେଟ୍ ମାଂସ ଓ ମାଛ ପାଇଁ ଜଣାଶୁଣା ହୋଇଥିବାରୁ ସେଠାରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ୟୁନିଟ୍‌-୮, ଖଣ୍ଡଗିରି, ପାତ୍ରପଡ଼ା, ହଂସପାଳ, ନୀଳାଦ୍ରିବିହାର, ବରଗଡ଼, ବାଲିଅନ୍ତା ଆଦି ସ୍ଥାନରେ ଆମିଷ ବିକ୍ରି ହୋଇଥିଲା।