ଭୁବନେଶ୍ବର : ଅପହରଣ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ୫ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, କେନ୍ଦ୍ରାପଡ଼ାର ଉତ୍କଳ ଦାସ, ଭଦ୍ରକର ରାଜେଶ ଦାସ, ଯାଜପୁରର ସୁମନ ମହାନ୍ତି, ଖୋର୍ଧାର ନାରାୟଣ ସାହୁ ଓ ନୟାଗଡ଼ର ରାଜେଶ କୁମାର ନାୟକ। ସମସ୍ତେ ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳରେ ରହନ୍ତି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଗତକାଲି ପଳାସୁଣୀ ପିଏଚ୍ଡି କାର୍ଯ୍ୟାଳୟ ନିକଟରୁ ସତ୍ୟବିହାରରେ ରହୁଥିବା ସୁରେଶ ନାୟକଙ୍କୁ ଅପହରଣ କରି ନେଇଥିଲେ। ପୂର୍ବ ବିବାଦକୁ କେନ୍ଦ୍ର କରି ତାଙ୍କୁ ଅପହରଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅପହର୍ତାମାନେ ସୁରେଶଙ୍କୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ରଖି ତାଙ୍କ ପରିବାରଲୋକଙ୍କୁ ଟଙ୍କା ମାଗିଥିଲେ। ଏ ନେଇ ସୁରେଶଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳୁ ପୁଲିସ ସୁରେଶଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ଠକେଇ ମାମଲାରେ ଲୁଧିଆନାରୁ ଯୁବକ ଗିରଫ
ଖଣ୍ଡଗିରି : ଏକ ଜିମ୍କୁ ଉପକରଣ ଯୋଗାଇ ଦେବାକୁ କହି ମାଲିକଙ୍କଠାରୁ ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ପଞ୍ଜାବ ସଦର ଲୁଧିଆନା ଆନନ୍ଦବିହାର ବାସିନ୍ଦା ଭିକି କମଲ ମୌର୍ଯ୍ୟ(୩୮)। ପୁଲିସ ଭିକିକୁ ଲୁଧିଆନା କୋର୍ଟରେ ହାଜର କରାଇବା ପରେ ରିମାଣ୍ଡ ଅନୁମତି ନେଇ ଭୁବନେଶ୍ବର ଆଣିଛି। ଶୁକ୍ରବାର ଭିକିଙ୍କୁ ଭୁବନେଶ୍ବର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, କୋଳଥିଆରେ ଏକ ଜିମ୍ ଚଳାଉଥିବା ଲଳିତେନ୍ଦୁ ଜେନା କିଛି ଉପକରଣ କିଣିବା ପାଇଁ ଭିକି ସହ ଯୋଗାଯୋଗ କରିଥିଲେ। କଥା ଅନୁସାରେ ଲଳିତଙ୍କର ଆବଶ୍ୟକ ଉପକରଣଗୁଡ଼ିକର ମୂଲ୍ୟ ୧୭ଲକ୍ଷ ୩୦ ହଜାର ଟଙ୍କା ହେଉଥିଲା। ଲଳିତ ଚେକ୍ ଆକାରରେ ଭିକିକୁ ସବୁ ଟଙ୍କା ଦେଇଥିଲେ। କିନ୍ତୁ ଭିକି ଟ୍ରାନ୍ସପୋର୍ଟରେ ଯେଉଁ ମାଲ୍ ପଠାଇଥିଲେ, ତାହା ଧାର୍ଯ୍ୟ ଓଜନରୁ ୨ କ୍ବିଣ୍ଟାଲ କମ୍ ଥିଲା ଓ ସମସ୍ତ ଉପକରଣର ମୂଲ୍ୟ ୧୪ଲକ୍ଷ ଟଙ୍କା ଥିଲା। ଏ ନେଇ ଲଳିତ ଭିକିଙ୍କୁ ପଚାରିବା ପରେ ସେ ମାନି ନଥିଲେ। ଏମିତିକି ଲଳିତଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ତେଣୁ ଲଳିତ ଓ ଭିକି ମଧ୍ୟରେ ଉପୁଜିଥିବା ବିବାଦ ଶେଷରେ ଉଚ୍ଚ ନ୍ୟାୟାଳୟରେ ପହଁଞ୍ଚିଥିଲା। ମାତ୍ର ଜବାବ ରଖିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ବେ ଭିକି କୋର୍ଟରେ ପହଞ୍ଚିନଥିଲେ। କୋର୍ଟଙ୍କ ଅବମାନନା ଯୋଗୁଁ ତୁରନ୍ତ ଭିକିକୁ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଖଣ୍ଡଗିରି ଥାନା ପୁଲିସକୁ ନିର୍ଦେଶ ମିଳିଥିଲା। ଏକ ସ୍ବତନ୍ତ୍ର ଟିମ୍ ପଞ୍ଜାବ ପୁଲିସ ସହଯୋଗରେ ଭିକି ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/kidnapping.jpg)