୨ ବାଇକ୍‌ ଚୋର ଗ୍ୟାଙ୍ଗ୍‌ର ୫ ଗିରଫ, ୪୬ ବାଇକ୍‌ ଜବତ

ଭୁବନେଶ୍ୱର : ରାଜଧାନୀରେ ବେଶ୍‌ ସକ୍ରିୟ ଥିବା ଦୁଇଟି କୁଖ୍ୟାତ ବାଇକ୍‌ ଚୋର ଗ୍ୟାଙ୍ଗ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଠାବ କରିଛି। ଦୁଇ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କଠାରୁ ୪୬ଟି ଚୋରି ବାଇକ୍‌ ଜବତ କରାଯାଇଛି। ଏହି ଲୁଟେରାମାନେ ହେଲେ ନୂଆପଲ୍ଲୀ ଥାନା ସାଲିଆସାହି ନୀଳଚକ୍ରନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୂଳ ଗୋଡ଼ିପଡ଼ାର ସୋନୁ ପ୍ରଧାନ, ଖୋର୍ଦ୍ଧା ଜଙ୍କିଆ ଥାନା ମଳିପଡ଼ାର ଚିତ୍ତରଞ୍ଜନ ପରିଡ଼ା, ଦେବ କାଳସୀ, ନୟାଗଡ଼ ଇଟାମାଟି ଥାନା ବଡ଼ସାହିର ପ୍ରଶାନ୍ତ ଗୌଡ଼ ଓ ଲାଠିପଡ଼ାର ଧୀର ନାୟକ। ଗୋଟିଏ ଗ୍ୟାଙ୍ଗ୍‌ର ମୁଖିଆ ସୋନୁ ଓ ଅନ୍ୟ ଗ୍ୟାଙ୍ଗ୍‌ର ମୁଖିଆ ପ୍ରଶାନ୍ତ ବୋଲି ଜଣାପଡ଼ିଛି। ଉଭୟ ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ଫେରାର୍‌ ଅଛନ୍ତି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ନୂଆପଲ୍ଲୀ ଥାନା ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

କେମିତି ଧରାପଡ଼ିଲା ଗ୍ୟାଙ୍ଗ୍‌
ଗତ ୧୭ ତାରିଖରେ ନୂଆପଲ୍ଲୀ ଥାନା ଏକାମ୍ର ବିହାର ପ୍ଲଟ ନମ୍ବର ୧୫ରେ ରହୁଥିବା ମୋହନ ବାରିକଙ୍କ ଏକ ବାଇକ୍‌ ଚୋରି ହୋଇଥିଲା। ଏହା ପୂର୍ବରୁ ଅକ୍ଟୋବର ମାସରେ ଫୁଲନଖରାର ସୌମ୍ୟରଂଜନ ରଣାଙ୍କ ବାଇକ୍‌କୁ କେହି ଦୁର୍ବୃତ୍ତ ନୂଆପଲ୍ଲୀ ଥାନା ଅଞ୍ଚଳରୁ ଚୋରି ହୋଇଥିଲା ଓ ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତେଣୁ ଏହି ଥାନା ଅଞ୍ଚଳରେ ବାଇକ୍‌ ଚୋର ଗ୍ୟାଙ୍ଗ୍‌ ସକ୍ରିୟ ଥିବାରୁ ପୁଲିସ ପୁଲିସର ମୁଣ୍ଡବିନ୍ଧା ବଢ଼ି ଯାଇଥିଲା। ମୋହନଙ୍କ ଅଭିଯୋଗ ପରେ ନୂଆପଲ୍ଲୀ ଥାନା ପୁଲିସ ବାଇକ୍‌ ଚୋରି ରୢାକେଟ୍‌ର ପର୍ଦ୍ଦାଫାସ କରିବା ପାଇଁ ଜୋର୍‌ଦାର୍‌ ଖୋଳତାଡ଼ ଆରମ୍ଭ କରିଥିଲା। ଗାଡ଼ି ପାର୍କିଂ ହୋଇଥିବା ଜାଗାରେ ଥିବା‌ ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲା। କାନ୍ଧରେ ବ୍ୟାଗ୍‌ ପକାଇଥିବା ଜଣେ ଯୁବକ ସିଧାସଳଖ ନକଲି ଚାବି ସାହାଯ୍ୟରେ ବାଇକ୍‌ ଖୋଲିବା ପରେ ବାଇକ୍‌ ଧରି ଚାଲିଯାଉଛି। ଫୁଟେଜ୍‌କୁ ଆଧାର କରି ଖୋଳତାଡ଼ କଲା ପରେ ଯୁବକ ଜଣକ ସୋନୁ ବୋଲି ଜଣା ପଡ଼ିଥିଲା। ପୂର୍ବରୁ ସୋନୁ ବାଇକ୍‌ ଚୋରି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲା। ସେତେବେଳେ ଆଇଆଇସି ଶ୍ରୀ ସାହୁ ଖଣ୍ଡଗିରି ଥାନାରେ ଥିଲେ। ତେଣୁ ତାକୁ ସିସିଟିଭି ଫୁଟେଜ୍‌ରୁ ଚିହ୍ନିବା ପରେ ଆଇଆଇସି ଶ୍ରୀ ସାହୁ ମାମଲାକୁ ଗୁରୁତ୍ବର ସହ ନେଇ ତାକୁ ପିଛା କରିଥିଲେ। ହେଲେ ସୋନୁ ଫେରାର୍‌ ଥିବାରୁ ତାକୁ ଠାବ କରିବା ସହଜ ହୋଇନଥିଲା। ତେଣୁ ପୁଲିସ ତା’ର ସହଯୋଗୀମାନଙ୍କୁ ପିଛା କଲା ଓ ପ୍ରକାଶ ନାମକ ଜଣେ ସହଯୋଗୀ ମିଳିଯାଇଥିଲା। ଦୁଇ ଦିନ ତଳେ ପୁଲିସ ପ୍ରକାଶକୁ ଉଠାଇ ଆଣିଥିଲା। ଏହା ପରେ ସୋନୁକୁ ଗିରଫ କରାଯାଇଥିଲା।

ଦାମୀ ଗାଡ଼ି କିଣୁଥିଲେ ଖଣି ମାଫିଆ
ସୋନୁ ଜଣେ ପେସାଦାର ବାଇକ୍‌ ଲୁଟେରା। ଜେଲ୍‌ରୁ ଜାମିନ୍‌ରେ ମୁକୁଳିବା ପରେ ପୁଣି ସେ ବାଇକ୍‌ ଲୁଟିବା ଆରମ୍ଭ କରିଦିଏ। ତା’ ଗ୍ୟାଙ୍ଗ୍‌ରେ ସାମିଲ୍ ହୋଇଥିବା ୫/୬ ଜଣ ଶିକ୍ଷିତ ଯୁବକ ସାମିଲ ହୋଇଛନ୍ତି। ଏହି ଗ୍ୟାଙ୍ଗ୍‌ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ସହିଦନଗର, ନୂଆପଲ୍ଲୀ ଆଦି ଅଞ୍ଚଳରୁ ବାଇକ୍ ଲୁଟ୍ କରୁଥିଲା। ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ୍‌ ଉଠାଉଥିବା ଦାମୀ ବାଇକ୍‌ର ସ୍ବତନ୍ତ୍ର ଗ୍ରାହକ ଅଛନ୍ତି। ଖୋର୍ଦ୍ଧା ଅଞ୍ଚଳର ଖଣି ମାଫିଆମାନେ ସୋନୁର ଗ୍ରାହକ ବୋଲି ଜଣାପଡ଼ିଛି। ଜବତ ହୋଇଥିବା ୪୬ ଗାଡ଼ି ମଧ୍ୟରେ ଏକ କେଟିଏମ୍‌ ବାଇକ୍‌ ରହିଛି। ପୁଲିସ ଏହି ବାଇକ୍‌କୁ ଜଣେ ଖଣି ମାଫିଆ ଘରୁ ଜବତ କରିଛି। କିନ୍ତୁ ଫେରାର୍ ହୋଇ ଯାଇଥିବାରୁ ତାକୁ ଗିରଫ କରାଯାଇପାରିନାହିଁ। ସୂଚନାନୁସାରେ ପ୍ରଶାନ୍ତ ଗ୍ୟାଙ୍ଗ୍‌ ରେଣ୍ଟାଲ୍‌ କଲୋନି ଓ ୟୁନିଟ୍‌-୮ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲା। ତା ଗ୍ୟାଙ୍ଗ୍‌ ସୌମ୍ୟରଞ୍ଜନଙ୍କ ବାଇକ୍‌ ଲୁଟିଥିଲେ।

ଗାଡ଼ି ପାଇଁ ଥାନାରେ ଭିଡ଼
ବାଇକ୍‌ ଚୋରି ରୢାକେଟ୍‌ ଠାବ ଓ ବାଇକ୍‌ ଜବତ ଖବର ପ୍ରଚାରିତ ହେବା ପରେ ଆଜି ଥାନାରେ ଲୋକଙ୍କ ଭିଡ଼ ହୋଇଥିଲା। ବାଇକ୍‌ ଚୋରିର ଶିକାର ହୋଇଥିବା ଲୋକେ ଥାନାରେ ପହଞ୍ଚି ଜବତ ବାଇକ୍‌ ଭିତରେ ସେମାନଙ୍କ ବାଇକ୍‌ ଖୋଜିଥିଲେ। ତେବେ ବହୁ ବାଇକ୍‌ର ନମ୍ବର ପ୍ଲେଟ ବଦଳି ଯାଇଥିବାରୁ ଲୋକେ ସମସ୍ୟାରେ ପଡ଼ିଥିଲେ। କିନ୍ତୁ ପରେ ଥାନା ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଥିଲା। ଚେଚିସ୍ ନମ୍ବର ଓ ଇଂଜିନ୍ ନମ୍ବରକୁ ଆଧାର କରି ମାଲିକଙ୍କ ନାମ ପ୍ରକାଶ କରାଯାଇଥିଲା। ତେଣୁ ଆଜି ୫ ଜଣ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ବାଇକ୍‌ ନେଇଥିଲେ।

ସମ୍ବନ୍ଧିତ ଖବର