ଭୁବନେଶ୍ବର: ଦୀର୍ଘ ଦିନ ଧରି ପୁଲିସ ପାଇଁ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦାନ୍ତ ବାବୁ ଲେଙ୍କାର ଡକାୟତ ଗ୍ୟାଙ୍ଗ୍ ଗତକାଲି ରାତିରେ ଲକ୍ଷ୍ମୀସାଗର ଥାନା ପୁଲିସ ପଞ୍ଝାରେ ପଡ଼ିଯାଇଛି। ପୁଲିସ ଏହି ଗ୍ୟାଙ୍ଗ୍ର ୫ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗ୍ ମୁଖିଆ ଲକ୍ଷ୍ମୀସାଗର ଲେଙ୍କାସାହିର ସଂଗ୍ରାମ କେଶରୀ ପ୍ରଧାନ ଓରଫ୍ ବାବୁ ଲେଙ୍କା(୪୧), ଲକ୍ଷ୍ମୀସାଗର ମଝିସାହିର ଗଗନ ନାୟକ ଓରଫ କପୁନା(୩୦), ଚିନ୍ତାମଣିଶ୍ବର ଫିସରିଲେନ୍ର ରାକେଶ କୁମାର ଭଗତ(୩୪), ଝାରପଡ଼ା ମୁସଲିମସାହିରେ ରହୁଥିବା କଟକ ଗୋପାଳପୁରର ସାଜଦ୍ ଖାଁ ଓରଫ୍ ସୟଦ(୩୧), ୟୁନିଟ୍ ୩ ମାଳିସାହିରେ ରହୁଥିବା କଟକ ବଡ଼ମ୍ବା ଅଞ୍ଚଳର ସଞ୍ଜୟ ବେହେରା ଓରଫ ସଞ୍ଜି(୨୮)। ସେମାନଙ୍କଠାରୁ ୩ ଖଣ୍ଡା, ଗୋଟିଏ ଭୁଜାଲି, ଲୁହା ରଡ୍, କଟୁରି, ଲଙ୍କା ଗୁଣ୍ଡ, ହାତୁଡ଼ି, ପେଚକସ୍, ଖାଲି ମଦ ବୋତଲ, ସ୍କେଚ୍ ପେନ୍ ଓ କାଗଜ ଆଦି ଜବତ କରାଯାଇଛି। ଚଢ଼ଉ ବେଳେ ଜଣେ ଡକାୟତ ଚମ୍ପଟ ମାରିବାରେ ସଫଳ ହୋଇଛି।
ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ଗତକାଲି ରାତିରେ ସନ୍ତୋଷୀବିହାରର ଗୋଟିଏ ଘରକୁ ଟାର୍ଗେଟ୍ କରିଥିଲେ। ତେଣୁ ରାତି ୯ଟା ସୁଦ୍ଧା ସେମାନେ ସନ୍ତୋଷୀବିହାର ଦେଇ ଯାଇଥିବା ଗଙ୍ଗୁଆ ନାଳ କଡ଼ରେ ଏକ ନିଛାଟିଆ ଜାଗାରେ ଏକାଠି ହୋଇଥିଲେ। ମଦ ପାର୍ଟି କରିବା ଭିତରେ କାଗଜ କଲମ ଧରି ଉକ୍ତ ଘରର ନକ୍ସା କରିଥିଲେ। ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ୩ ଜଣ ଜଗି ରହିବେ ଏବଂ ତାଲା କାଟିବା ଓ ଝରକା ତାଡ଼ିବରେ ଓସ୍ତାଦ ସାଞ୍ଜି ଓ ସାଜଦ୍ ଗ୍ରିଲ୍ ତାଡ଼ିବେ ବୋଲି ଯୋଜନା ହୋଇଥିଲା। ରାତି ପ୍ରାୟ ୨ଟା ବେଳେ ସେମାନେ ଉକ୍ତ ଘରେ ପଶିବାର ଥିଲା। କିନ୍ତୁ ଏହା ପୂର୍ବରୁ ଲକ୍ଷ୍ମୀସାଗର ଥାନା ପୁଲିସକୁ ଏକ ଫୋନ୍ କଲ୍ ଆସିଥିଲା। ସନ୍ତୋଷୀବିହାରର ଜଣେ ଯୁବକ ଏମାନଙ୍କୁ ନିଛାଟିଆ ଜାଗାରେ ବସିଥିବାର ଦେଖି ପୁଲିସକୁ ଜଣାଇଥିଲେ। ୩ଟି ବାଇକ୍ ଏକ ବୁଦା ମୂଳରେ ଥିବା ଦେଖି ତାଙ୍କ ସନ୍ଦେହ ହୋଇଥିଲା ଏବଂ ସେ କିଛି ଦୂରରେ ବସିଥିବା ଏହି ଗ୍ୟାଙ୍ଗ୍କୁ ଦେଖିପାରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସର ୨ଟି ଟିମ୍ ପ୍ରସ୍ତୁତ ହୋଇଯାଇଥିଲା। ସେମାନେ ସାଦା ପୋଷାକରେ ଦୁଇ ପଟୁ ଚାଲିଚାଲି ଗଙ୍ଗୁଆ ନାଳ କଡ଼ ଦେଇ ଆସିଥିଲେ। ଯୁବକଙ୍କ ସୂଚନାନୁଯାୟୀ ୩ ବାଇକ୍ ଥିବା ବୁଦା ଠାବ କରିବା ପରେ ଅତର୍କିତ ଭାବେ ଗ୍ୟାଙ୍ଗ୍କୁ ଦୁଇ ପଟୁ ଘେରିଯାଇଥିଲେ। ଦୁର୍ଦାନ୍ତ ବାବୁ ପୁଲିସ ଟିମ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଧମକ ଦେବା ପରେ ପୁଲିସ ଏନ୍କାଉଣ୍ଟର ଧମକ ଦେଇଥିଲା। ଏହାପରେ ସେମାନେ ବାଧ୍ୟ ହୋଇ ହାତ ଟେକିଦେଇଥିଲେ। କିନ୍ତୁ ଏହା ଭିତରେ ଜଣେ ନାଳକୁ ଡେଇଁ ପଳାଇଥିଲା।
ସମସ୍ତେ ପେସାଦାର
ପୂର୍ବରୁ ଲୁଟ୍, ଛିନ୍ତାଇ ଓ ରାହାଜାନୀ କରୁଥିବା ଏହି ଅଭିଯୁକ୍ତମାନେ ଜେଲ୍ରେ ପରିଚିତ ହୋଇ ଗ୍ୟାଙ୍ଗ୍ ଗଢ଼ିଥିଲେ। ବାବୁ ନାଁରେ ସର୍ବାଧିକ ୨୮ଟି ମାମଲା ରହିଛି। ସେହିଭଳି ସଞ୍ଜୟ ନାଁରେ ୨୨, ଗଗନ ନାମରେ ୧୨, ରାକେଶ ନାମରେ ୭ ଓ ସୟଦ୍ ନାମରେ ୮ ମାମଲା ରହିଛି। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ବଡ଼ ଭୟଙ୍କର। ଲୁଟ୍ପାଟ ବେଳେ ଏମାନେ ନିର୍ଦୟ ଭାବେ ଖଣ୍ଡା, ଭୁଜାଲିରେ ହାଣି ପକାନ୍ତି।